ବିଜେଡ଼ି ବିଧାୟକ କିଶୋର କୁମାର ମହାନ୍ତିଙ୍କ ହୃଦ୍ଘାତରେ ପରଲୋକ
ବରିଷ୍ଠ ବିଜେଡ଼ି ନେତା ତଥା ବ୍ରଜରାଜନଗର ବିଜେଡ଼ି ବିଧାୟକ କିଶୋର କୁମାର ମହାନ୍ତିଙ୍କ ହୃଦ୍ଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା ।
ସେ ଝାରସୁଗୁଡାରୁ ୩ ଥର ଓ ବ୍ରଜରାଜନଗରରୁ ଥରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଥରେ ରାଜ୍ୟସଭାକୁ ମଧ୍ୟ ମନୋନିତ ହୋଇଥିଲେ । ୨୦୦୯ରୁ ୧୨ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ କିଶୋର। କିନ୍ତୁ ଗତ ସାଧାରଣ ନିର୍ବାଚନରେ ସେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ହରାଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। କିଶୋର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।
କିଶୋର କୁମାର ମହାନ୍ତି ଝାରସୁଗୁଡ଼ାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସହ ପୂର୍ବରୁ ଝାରସୁଗୁଡ଼ାରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୭ ରୁ ୨୦୦୯ ପର୍ଯ୍ୟନ୍ତ ବିଧାନସଭାର ବାଚସ୍ପତି ଦାୟିତ୍ବ ମଧ୍ୟ ତୁଲାଇଥିଲେ । ୨୦୦୪ ରୁ ୨୦୦୭ ପର୍ଯ୍ୟନ୍ତ ସରକାରୀ ଦଳ ମୁଖ୍ୟ ସଚେତକ ମଧ୍ୟ ଥିଲେ । ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଦାୟିତ୍ବ ମଧ୍ୟ ତୁଲାଇଥିଲେ ।
Powered by Froala Editor