ସୁମିତ-ତପସ୍ୱିନୀ ମାମଲା, ରାଜଭବନରୁ ଆସିଲା କଡା ନିର୍ଦ୍ଦେଶ

ବ୍ରହ୍ମପୁର: ବହୁଚର୍ଚ୍ଚିତ ସୁମିତ-ତପସ୍ୱିନୀ ମାମଲାର ସମାଧାନ ବାଟ ଫିଟୁ ନାହିଁ । ନ୍ୟାୟ ପାଇଁ ବୋହୂ ତପସ୍ୱିନୀ ଦାଶ ଗତମାସ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର ଲେଖିଥିଲେ । ଏହି ମାମଲାର ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିକଟକୁ ରାଜଭବନରୁ ଚିଠି ଜାରି କରାଯାଇଛି । ଘଟଣାର ତଦନ୍ତ କରି ଆବେଦନକାରୀ ଏବଂ ରାଜଭବନକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି ।ଏହିଭଳି ଏକ ପରିସ୍ଥିତିରେ ତପସ୍ୱିନୀ ବ୍ରହ୍ମାନଗରସ୍ଥିତ ଶ୍ୱଶୁର ଘର ବାରଣ୍ଡାରେ ଧାରଣା ଜାରି କରିଛନ୍ତି । ତପସ୍ୱିନୀଙ୍କ ଓକିଲ ଏସଡିଜେଏମଙ୍କ ରାୟକୁ ଚାଲେଞ୍ଜ କରି ଜିଲ୍ଲାଜଜ କୋର୍ଟରେ ଏକ ପିଟିସନ ରୁଜୁ କରିଛନ୍ତି । ଡା. ସୁମିତ ସାହୁ ଓ ତପସ୍ୱିନୀଙ୍କ ଛାଡ଼ପତ୍ର ହୋଇନାହିଁ । ବର୍ତ୍ତମାନ ପରିବାର କୋର୍ଟରେ ମାମଲା ବିଚାରାଧୀନ ରହିଛି । ଏଣୁ ଆଇନ ଅନୁସାରେ ତପସ୍ୱିନୀଙ୍କୁ ତାଙ୍କ ଶ୍ୱଶୁର ଘରେ ରହିବାକୁ ଅନୁମତି ପ୍ରଦାନ ପାଇଁ ଜିଲ୍ଲା ଜଜ କୋର୍ଟରେ ଅପିଲ କରାଯାଇଛି । ଆସନ୍ତା ୨୭ତାରିଖରେ ଏହାର ଶୁଣାଣି ରହିଥିବା ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ଡା. ସୁମିତଙ୍କ ଘର ଗ୍ରିଲ ଭାଙ୍ଗି ଜୋରଜବରଦସ୍ତ ପ୍ରବେଶ କରିବା ପାଇଁ ବାପା ପ୍ରମୋଦ ସାହୁ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ଏହି ଏତଲା କ୍ରମେ କେସ୍ ନମ୍ବର ୩୩୬/୨୧ରେ ସମାଜସେବୀ ପ୍ରମିଳା ତ୍ରିପାଠୀ, ତପସ୍ୱିନୀ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୂର୍ମୂ ସୂଚନା ଦେଇଛନ୍ତି ।
Powered by Froala Editor