ନୂଆବର୍ଷ ପାଇଁ ଗାଇଡଲାଇନ୍ ଆଣିପାରନ୍ତି ରାଜ୍ୟ ସରକାର,ଜାଣନ୍ତୁ କ’ଣ ?

ଭୁବନେଶ୍ୱର : ରାଜ୍ୟରେ ‘ଓମିକ୍ରନ’କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଗକୁ ନୂଆ ବର୍ଷ ଆସୁଥିବାରୁ ବହୁସଂଖ୍ୟାରେ ଲୋକମାନେ ଯେପରି ଏକାଠି ନ ହେବେ ସେଥିପାଇଁ ନୂଆବର୍ଷ ପାଇଁ ଗାଇଡଲାଇନ୍ ଆଣିପାରନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡା.ନିରଞ୍ଜନ ମିଶ୍ର । ଡା.ମିଶ୍ର କହିଛନ୍ତି ଯେ ସଂକ୍ରମଣ ସ୍ଥିତି ଦେଖି କଟକଣା କରିବାକୁ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ତୁରନ୍ତ ଟିକା ନେବା ପାଇଁ ପରାମର୍ଶ ଦିଆଯାଇଛି । ପଜିଟିଭ୍ କିମ୍ବା ସିଟି ଭ୍ୟାଲୁ ଅଧିକ ଥିବା ଲୋକଙ୍କ ଜିନ୍ ଅନୁଶୀଳନ କରାଯିବ । ଏହାସହ ହଷ୍ଟେଲରେ ପିଲାଙ୍କ ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଟେଷ୍ଟ ହେବା ପର୍ଯ୍ୟନ୍ତ ଅଲଗା ରହିବା ଲାଗି ନିର୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଅପରପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଦୁଇ ଜଣ ‘ଓମିକ୍ରନ୍’ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି । ଏହି ଦୁଇ ଆକ୍ରାନ୍ତ ବିଦେଶରୁ ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି ସମୟରେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ହୋଇଥିଲା । ମାତ୍ର ଏବେ ପୁଣିଥରେ ସେମାନଙ୍କ ସଂପର୍କୀୟଙ୍କ ନମୁନା ସଂଗ୍ରହ କରାଯାଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହାସହ ରାଜଧାନୀରେ ଦିନକୁ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ବଢ଼ିବାରେ ଲାଗିଛି । ଗତକାଲି ବିଏମସି ପକ୍ଷରୁ ୨ଟି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଉ ଗୋଟିଏ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ବିଦେଶ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଉଛି । ଆଗୁଆ ପଦକ୍ଷେପ ସ୍ୱରୂପ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ସୂଚନା ମିଳିଛି ।
Powered by Froala Editor