ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି, ଜାଣନ୍ତୁ କାହିଁକି
ପୁରୀ: ପବିତ୍ର ଦୀପାବଳିରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଦୀପାବଳି ଦିନ ଦିନତମାମ ଏହି କଟକଣା ରହିବ । ଉପଜିଲ୍ଲାପାଳ ଭବତାରଣ ସାହୁ ଏହି ସୂଚନା ଦେଇଛନ୍ତି । ପ୍ରତିବର୍ଷ ବଡ଼ବଡ଼ୁଆ ଡକା ପୟାଶ୍ରାଦ୍ଧ ପାଇଁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଭିଡ଼ ଜମାଇଥାନ୍ତି । ଏକତ୍ର କାଉଁରିଆ ଜାଳିଥାନ୍ତି ।
ଦୀପାବଳି ସଂଧ୍ୟାରେ ଏଥିପାଇଁ ବଡ଼ଦାଣ୍ଡ ଜନ ସମୁଦ୍ର ପାଲଟି ଯାଇଥାଏ । ବ୍ୟାପକ ପୁଲିସ ମୁତୟନ ସହ ଅଘଟଣ ଏଡ଼ାଇବା ପାଇଁ ବାରିକେଡ ବ୍ୟବସ୍ଥା କରାଯାଇଥାଏ । ଅଗ୍ନିକାଣ୍ଡରୁ ରକ୍ଷା ପାଇଁ ଅନ୍ୟାନ୍ୟ ବିଭାଗର ଅଧିକାରୀଙ୍କୁ ନିୟୋଜିତ କରାଯାଇଥାଏ । ବର୍ତ୍ତମାନ କୋଭିଡ ସ୍ଥିତି ଥିବାରୁ ଜିଲ୍ଲା ପ୍ରଶଶସନ ଏଥିରେ କଟକଣା ଲଗାଇଛି । ଏ ସମ୍ପର୍କରେ ଉପଜିଲ୍ଲାପାଳ ଶ୍ରୀ ସାହୁ କହିଛନ୍ତି ଯେ ଦୀପାବଳି ଦିନ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ୧୪୪ ଧାରା ଜାରି ରହିବ । କେହି ବଡ଼ବଡ଼ୁଆ ଡାକି ପାରିବେନି କି କାଉଁରିଆ ଜାଳିପାରିବେନି । ଏଥିପାଇଁ ପୁଲିସ ପହରା ରହିବ । ପ୍ରତି ଗଳି କନ୍ଦିର ପ୍ରବେଶ ପଥ ସିଲ କରାଯିବ ।
Powered by Froala Editor