ସି-ଫୁଡ୍ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍, ଓଡ଼ିଶାର ୨ ମହିଳା ମୃତ
ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ୍ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍ ହେବା ଯୋଗୁ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୬ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ୨ ଜଣ ଯାକ ମୃତକ ଓଡିଶାର ବୋଲି ଜଣାପଡିଛି। ସେମାନେ ହେଲେ ଜୁମାନୀ ଜୁଆଙ୍ଗ ଏବଂ ମାଳତୀ। ତିରୁଭଲ୍ଲୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ମିଳିଛି।
ପେରିୟାପାଲାୟମ୍ ନିକଟ କନ୍ନିଗାଇପୈର ସ୍ଥିତ ‘ସେଣ୍ଟ ପିଟର୍ସ ପଲ୍ ସି-ଫୁଡ୍ସ ଏକ୍ସପୋର୍ଟସ୍’ କାରଖାନାରେ ଏହି ଦୁଃଖଦ ଘଟଣା ଘଟିଛି। ଗ୍ୟାସ ଲିକ୍ ହେବା ସୂଚନା ମିଳିବା ମାତ୍ରେ ଅରକ୍ତୋନମ୍ ସ୍ଥିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ର ୪ର୍ଥ ବାଟାଲିୟନ ମୁଖ୍ୟାଳୟକୁ ଆଲର୍ଟ କରାଯାଇଥିଲା। ଏହାପରେ ଚେନ୍ନାଇରୁ ୩୦ ଜଣିଆ ଏକ ବିଶେଷ NDRF ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
କାରଖାନାରେ ୩୦୦ରୁ ଅଧିକ ଶ୍ରମିକ କାମ କରୁଥିବା ବେଳେ ଦୁର୍ଘଟଣା ସମୟରେ ୧୦୦ରୁ ଅଧିକ ଶ୍ରମିକ କାର୍ଯ୍ୟରତ ଥିଲେ। ଗ୍ୟାସ୍ ଲିକ୍ ହେବା ମାତ୍ରେ ସେଠାରେ ଶ୍ରମିକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ ପ୍ରବଳ କଷ୍ଟ ଅନୁଭବ କରିଥିଲେ। ରିପୋର୍ଟ ଅନୁଯାୟୀ, ୭୦ ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ୩ ଜଣିଆ ବିଶେଷ ତଦନ୍ତ କମିଟି ଗଠନ କରାଯାଇଛି। ଏହି କମିଟିରେ ଶିଳ୍ପ ସୁରକ୍ଷା ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସାମିଲ ଅଛନ୍ତି।
Powered by Froala Editor