ପୁଣି ବଢ଼ିଲା କଟକଣା ଅବଧି: ନଭେମ୍ବର ୩୦ ପର୍ଯ୍ୟନ୍ତ ବିଦେଶକୁ ବିମାନ ଉଡ଼ାଣ ବନ୍ଦ କଲା ଡିଜିସିଏ

ନୂଆଦିଲ୍ଲୀ: କିଛିଦିନ ପରେ ଏବେ ଦେଶରେ ପୁଣି ଥରେ ଉପରମୁହାଁ ହୋଇଛି ସଂକ୍ରମଣ । ଦଶହରା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଦେଶକୁ ବିମାନ ଉଡ଼ାଣ ଉପରେ କଟକଣା ଅବଧିକୁ ବୃଦ୍ଧି କରିଛି ଡିଜିସିଏ । ନଭେମ୍ବର ୩୦ ପର୍ଯ୍ୟନ୍ତ ଅନ୍ତର୍ଜାତିକ ବ୍ୟବସାୟିକ ବିମାନ ଉଡ଼ାକୁ ବନ୍ଦ କରାଯାଇଛି ।
ଡିଜିସିଏ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତିରେ କୁହାଯାଇଛି, ନଭେମ୍ବର ୩୦ ତାରିଖ ରାତି ୧୧.୫୯ ଯାଏ ଦେଶକୁ କୌଣସି ଅନ୍ତର୍ଜାତିକ ବ୍ୟବସାୟିକ ଆସିପାରିବ ନାହିଁ । ସେହିଭଳି ଭାରତରୁ ମଧ୍ୟ ବିମାନ ଉଡ଼ାଣ ଭରିବନି । କେବଳ କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ସ୍ୱତନ୍ତ୍ର ଅନୁମୋଦନ ପରେ ବିମାନ ଚଳାଚଳ କରିବ । ସେହିପରି ଯାତ୍ରୀବାହୀ ବିମାନ ଚଳାଚଳ ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଅନ୍ତର୍ଜାତୀୟ କାରଗୋ ଅପରେସନକୁ ଏଥିରୁ ବାଦ ଦିଆଯାଇଛି । ପୂର୍ବରୁ ଭାରତରୁ ଓ ଭାରତକୁ ସମସ୍ତ ପ୍ରକାରର ଜରୁରି ଏବଂ ମାଲବାହୀ ବିମାନ ଚଳାଚଳ ଜାରି ରହିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଥିଲା । ସୂଚନାଯୋଗ୍ୟ, ସେପ୍ଟେମ୍ବର ମାସରେ ଡିଜିସିଏ ବିମାନ ଉଡ଼ାଣ ଉପରେ ଲାଗିଥିବା କଟକଣାକୁ ଅକ୍ଟୋବର ୩୧ ଯାଏ ବୃଦ୍ଧି କରିଥିଲା ।
ମହାମାରୀ ପାଇଁ ଦୀର୍ଘ ଦେଢ଼ ବର୍ଷରୁ ଅଧିକ ଦିନ ହେବ ବିଦେଶକୁ ନିୟମିତ ବ୍ୟବସାୟିକ ବିମାନ ଉଡ଼ାଣ ବନ୍ଦ ରହିଛି । କେବଳ କିଛି ନିର୍ଦ୍ଦିଷ୍ଟ ରୁଟ୍ରେ ଓ ସ୍ୱତନ୍ତ୍ର ଅନୁମୋଦନ ପ୍ରାପ୍ତ ଦେଶକୁ ଭାରତକୁ ବିମାନ ଉଡ଼ାଣ କରୁଛି ।
Powered by Froala Editor