ଇସ୍ରୋକୁ ଆଉ ଏକ ବଡ଼ ସଫଳତା: EOS-05ର ସଫଳ ଉତ୍କ୍ଷେପଣ
ଶ୍ରୀହରିକୋଟା: ଇସ୍ରୋକୁ ଆଉ ଏକ ବଡ଼ ସଫଳତା ହାସଲ ହୋଇଛି । ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍, ସତୀଶ ଧାୱନ୍ ମହାକାଶ କେନ୍ଦ୍ରରୁ ସଫଳତାର ସହିତ ମହାକାଶକୁ ଉତ୍କ୍ଷେପଣ କରାଯାଇଛି । ଏକ GSLV ରକେଟ୍ରେ EOS-05 ନାମକ ଏକ ଇମେଜିଂ ସାଟେଲାଇଟକୁ ଶୁକ୍ରବାର ଭୋର ସମୟରେ ପୃଥିବୀର କକ୍ଷପଥରେ ସଠିକ ଭାବେ ସ୍ଥାନିତ କରାଯାଇଛି । ଇସ୍ରୋର ଏପରି ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି ।
GSLV-F17 ରକେଟ୍ EOS-05କୁ ନିର୍ଦ୍ଧାରିତ କକ୍ଷପଥରେ ସ୍ଥାପନ କରି ଏହି ଅଭିଯାନକୁ ସଫଳତାର ସହ ସମ୍ପନ୍ନ କରିଛି, ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । GSLV-F17 ରକେଟଟି ସାଟେଲାଇଟ୍କୁ ସବ୍-ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର୍ ଅର୍ବିଟ୍ରେ ସ୍ଥାପନ କରିଛି । EOS-05 ଏକ ଅତ୍ୟାଧୁନିକ ପୃଥିବୀ ପର୍ଯ୍ୟବେକ୍ଷଣ ମହାକାଶଯାନ ଏବଂ ଜିଓସିଙ୍କ୍ରୋନସ୍ ଅର୍ବିଟ୍ରେ ସ୍ଥାପିତ ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍ ଅଟେ । କିଛିଦିନ ପୂର୍ବରୁ ଇସ୍ରୋ (ISRO) ଅଧ୍ୟକ୍ଷ ଭି.ନାରାୟଣନ୍ ତିରୁମାଲା ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଦର୍ଶନ କରି ମିଶନ୍ର ସଫଳତା ପାଇଁ ପ୍ରାର୍ଥନା କରିଥିଲେ।
ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍ ଜିଓସିଙ୍କ୍ରୋନସ୍ କକ୍ଷପଥରେ ସଫଳତାର ସହିତ ସ୍ଥାପିତ ହୋଇଥିବାର ସଫଳତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଏହା ଦେଶପାଇଁ ଗର୍ବର ବିଷୟ ବୋଲି ସେ କହିଛନ୍ତି । "ISRO ପକ୍ଷରୁ ଆଉ ଏକ ଉଲ୍ଲେଖନୀୟ ସଫଳତା ଏବଂ ଆମ ଦେଶ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ । ଭାରତର ପ୍ରଥମ ଇମେଜିଂ ସାଟେଲାଇଟ୍ 'EOS-05' କୁ ଜିଓସିଙ୍କ୍ରୋନସ୍ (Geosynchronous) କକ୍ଷପଥକୁ ନେଇ ଯାଉଥିବା GSLV-F17ର ସଫଳ ଉତ୍କ୍ଷେପଣ, ଭାରତର ମହାକାଶ କ୍ଷେତ୍ରର ଉତ୍କର୍ଷତା, ନବସୃଜନ ଏବଂ ବର୍ଦ୍ଧିତ କ୍ଷମତାର ପ୍ରତିଫଳନ ଅଟେ," ବୋଲି ନିଜ X ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ।
ଦୀର୍ଘ 27 ଘଣ୍ଟାର କାଉଣ୍ଟଡାଉନ ପରେ 2,367 kg ପେଲୋଡ୍ ବିଶିଷ୍ଟ ରକେଟ୍ ସତୀଶ ଧାୱନ୍ ମହାକାଶ କେନ୍ଦ୍ରର ଦ୍ବିତୀୟ ଲଞ୍ଚ ପ୍ୟାଡ୍ରୁ ଉତ୍କ୍ଷେପଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଭୋର୍ ସମୟ ଓ ବର୍ଷା ମିଶନ ପାଇଁ ଥିବା ଉତ୍ସାହକୁ କମ୍ କରିପାରିନଥିଲା । GSLV-F17 ଭାରତର 19 ତମ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଉତ୍କ୍ଷେପଣ ଯାନ ଅଟେ । 3ଟି ଷ୍ଟେଜ୍ ବିଶିଷ୍ଟ 51.7 ଦୀର୍ଘ ରକେଟ୍ ଉତ୍କ୍ଷେପଣରେ ସାମିଲ ହୋଇଥିଲା । ତୃତୀୟ ପର୍ଯ୍ୟାୟରେ କାର୍ୟୋଜେନିକ୍ ସ୍ତରରେ ରକେଟ୍ଟିର ଓଜନ 420.5 ଟନ୍ ରହିଥିଲା ଏବଂ 2,000 କେଜି ବିଶିଷ୍ଟ ସାଟେଲାଇଟ୍ ରକେଟ୍ର ଅଗ୍ରଭାଗରେ ସ୍ଥାପିତ ହୋଇଥିଲା ।
ବହୁ ପୃଥିବୀ ପର୍ଯ୍ୟବେକ୍ଷଣ କରୁଥିବା ସାଟେଲାଇଟ୍ ପୃଥିବୀର ନିମ୍ନ କକ୍ଷପଥରେ ଅବସ୍ଥାପିତ ହୋଇଥାନ୍ତି । ମାତ୍ର EOS-5 ସାଟେଲାଇଟ୍ ପୃଥିବୀରୁ 36,000 କିମି ଉଚ୍ଚ କକ୍ଷପଥରେ ଅବସ୍ଥାପିତ ହୋଇଛି । ଉକ୍ତ ଜିଓସିଙ୍କ୍ରୋନସ୍ କକ୍ଷପଥରେ ସାଟେଲାଇଟ୍ର ଗତି ପୃଥିବୀ କକ୍ଷପଥରେ କରୁଥିବା ଗତି ସହିତ ସମାନ ହେବ ।
Powered by Froala Editor