ବୁଝାମଣା ପତ୍ର ସ୍ଵାକ୍ଷରିତ, ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ
ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପାଠ ପଢିପାରିବେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ। ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଏବଂ ଓଡିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥା (ଆଇଓଏସଆର) ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏଆଇସିଟିଇ ଅଧ୍ୟକ୍ଷ ଅନିଲ ସହସ୍ରବୁଧେ ଏବଂ ଆଇଓଏସଆର ସଭାପତି ଅବସର ବେଉରିଆଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ । ଏଆଇସିଟିଇ ସହିତ ଆଇଓଏସଆର ମିଳିତ ଭାବେ ଓଡ଼ିଆ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ କାର୍ୟ୍ୟ କରିବେ ।
ଆଇଓଏସଆରର ଅଧ୍ୟକ୍ଷ ଅବସର ବେଉରିଆ କହିଛନ୍ତି ଯେ, ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପଢିପାରିବେ । ବିଶେଷ କରି ପଛୁଆ ବର୍ଗ ଏବଂ ଗ୍ରାମାଞ୍ଚଳରେ ପଢ଼ୁଥିବା ପିଲାମାନେ ଲାଭବାନ ହେବେ । ଓଡ଼ିଶାରେ ୯୧ ପ୍ରତିଶତ ପିଲା ଓଡ଼ିଆ ମିଡିୟମରେ ପଢୁଛନ୍ତି। ଭୁବନେଶ୍ୱରକୁ ଏକ ଶିକ୍ଷା ହବ୍ କରିବାରେ ଓଡ଼ିଆ ଭାଷା ସାହାଯ୍ୟ କରିବ ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଏବଂ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ମଧ୍ୟରେ ବୁଝାବଣା ପତ୍ର ସ୍ବାକ୍ଷର ହୋଇଛି । ଶିକ୍ଷା ବିଭାଗରେ କାର୍ୟ୍ୟ କରିବାରେ ଆଜିକୁ ୧୦୦ ଦିନ ହୋଇଛି । ଆଗାମୀ ୧-୨ ବର୍ଷ ମଧ୍ୟରେ ଓଡ଼ିଆରେ ଇଞ୍ଜିନିୟରିଂ ପାଠ ପଢିପାରିବେ ଛାତ୍ରଛାତ୍ରୀ । ଭାରତକୁ ଶିକ୍ଷା ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ହେଲେ ମାତୃଭାଷା ଆଦୃତ କରିବାକୁ ପଡିବ । ଭାରତରେ ଓଡିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବରେ ପରିଚିତ ହୋଇଥିଲା ।
Powered by Froala Editor