ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ଦରରେ ୩ ଟଙ୍କା ବୃଦ୍ଧି
ନୂଆଦିଲ୍ଲୀ: ଆଉ ଏକ ପ୍ରାଇଭେଟ୍ ଫୁଏଲ୍ କମ୍ପାନୀ ଜାଳେଣି ତେଲର ଦର ବୃଦ୍ଧି କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ ସଂସ୍ଥା 'ଜିଓ-ବିପି' ପେଟ୍ରୋଲ ଦରରେ ୫ ଟଙ୍କା ଏବଂ ଡିଜେଲ ଦରରେ ୩ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛି । ଏହି ନୂତନ ଦର ଗତକାଲି ଅର୍ଥାତ୍ ରବିବାର ସକାଳ ୬ଟାରୁ ଲାଗୁ ହୋଇସାରିଛି ।ହରିୟାଣାରେ ଜିଓ-ବିପି ଆଉଟଲେଟ୍ଗୁଡ଼ିକରେ ପେଟ୍ରୋଲ ପ୍ରାୟ ୧୦୯.୮୦ ଟଙ୍କା ଏବଂ ଡିଜେଲ ୯୭.୭୫ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ପଞ୍ଜାବରେ ପେଟ୍ରୋଲ ପ୍ରାୟ ୧୦୮.୫୪ ଟଙ୍କା ଏବଂ ଡିଜେଲ ୯୯.୨୧ ଟଙ୍କା ପ୍ରତି ଲିଟର ରହିଛି । ରାଜସ୍ଥାନରେ ସ୍ଥାନୀୟ ଟ୍ୟକ୍ସ ଆଧାରରେ ଏଠାରେ ପେଟ୍ରୋଲ ୧୧୩.୯୧ ଟଙ୍କାରୁ ୧୧୭.୬୫ ଟଙ୍କା ଏବଂ ଡିଜେଲ ୯୭.୧୫ ଟଙ୍କାରୁ ୧୦୦.୭୮ ଟଙ୍କା ପ୍ରତି ଲିଟର ମଧ୍ୟରେ ବିକ୍ରି ହେଉଛି ।
ଜିଓ-ବିପି ପୂର୍ବରୁ ଗତ ଅକ୍ଟୋବର ୩ ତାରିଖରେ 'ନାୟରା ଏନର୍ଜି' ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ସମାନ ପରିମାଣରେ ବୃଦ୍ଧି କରିଥିଲା । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବୃଦ୍ଧି ପାଇବାରୁ କମ୍ପାନୀଗୁଡ଼ିକର ମାର୍କେଟିଂ ମାର୍ଜିନ ଉପରେ ଚାପ ପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ମେଟ୍ରୋ ସହରଗୁଡ଼ିକରେ ଯେପରିକି ଦିଲ୍ଲୀରେ ପେଟ୍ରୋଲ ୧୦୨.୧୨ ଟଙ୍କା ଏବଂ ଡିଜେଲ ୯୫.୨୦ ଟଙ୍କା ପ୍ରତି ଲିଟର ଥିବାବେଳେ ମୁମ୍ବାଇରେ ପେଟ୍ରୋଲ ୧୧୧.୨୧ ଟଙ୍କା ଏବଂ ଡିଜେଲ ୯୭.୮୩ ଟଙ୍କା ପ୍ରତି ଲିଟର ରହିଛି ।
Powered by Froala Editor