ବିରୋଧ ପ୍ରଦର୍ଶନ ପାଇଁ ଜନ୍ତର ମନ୍ତରରେ ଧାରଣା ମନା
ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ ନେଇ ବଡ଼ ପରିବର୍ତ୍ତନ କରାଯାଇଛି ।ଦିଲ୍ଲୀର ଜନ୍ତର ମନ୍ତରରେ ଆଉ କୌଣସି ପ୍ରତିବାଦ ହେବ ନାହିଁ। କେନ୍ଦ୍ର ସରକାର ଜନ୍ତର ମନ୍ତର ବଦଳରେ ବୁରାଡି, ରାମଲୀଳା ମୈଦାନ ଏବଂ ପୂର୍ବ ଦିଲ୍ଲୀର ସିବିଡି ଗ୍ରାଉଣ୍ଡକୁ ପ୍ରତିବାଦ ସ୍ଥାନ ଭାବରେ ମନୋନୀତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ କରିବା ପାଇଁ କକ୍ରୋଚ୍ ଜନତା ପାର୍ଟି ପକ୍ଷରୁ ଜନ୍ତର ମନ୍ତର ଯିବାକୁ ଦାବି ମଧ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବର୍ତ୍ତମାନର ନିର୍ଦ୍ଦିଷ୍ଟ ସ୍ଥାନ ଜନ୍ତରମନ୍ତର ପରିବର୍ତ୍ତେ ନାଗରିକଙ୍କ ପ୍ରତିବାଦ ଅଧିକାର ପାଇଁ ବିକଳ୍ପ ଏବଂ ଉପଯୁକ୍ତ ସ୍ଥାନ ଯାଞ୍ଚ କରିବା ପାଇଁ ଏକ କମିଟି ଗଠନ କରିଥିଲା। କମିଟିର ସୁପାରିଶ କ୍ରମେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। କମିଟିର ସୁପାରିଶ ଆଧାରରେ ଜନ୍ତର ମନ୍ତରକୁ ପ୍ରତିବାଦ ସ୍ଥାନରୁ ହଟାଇ ଦିଆଯାଇଛି। କମିଟିର ସୁପାରିସ ଆଧାରରେ ଜନ୍ତରମନ୍ତରକୁ ନିର୍ଦ୍ଧାରିତ ପ୍ରଦର୍ଶନ ସ୍ଥଳର ତାଲିକାରୁ ହଟାଇ ତିନୋଟି ବିକଳ୍ପ ସ୍ଥାନକୁ ସାମିଲ କରାଯାଇଛି । ପ୍ରଦର୍ଶନ ପାଇଁ ଅନୁମତି, ନିୟମ ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କିତ ବିସ୍ତୃତ ତଥ୍ୟ ପରବର୍ତ୍ତୀ SOP ବା ମାନକ କାର୍ଯ୍ୟପଦ୍ଧତିରେ ସ୍ପଷ୍ଟ ହେବ।
ଦିଲ୍ଲୀର ଜନ୍ତରମନ୍ତର ପ୍ରାୟ ୧୯୯୩ ମସିହାରୁ ଧାରଣା ଓ ପ୍ରତିବାଦର ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତ । ୧୯୮୮ ମସିହାରେ କୃଷକ ନେତା ମହେନ୍ଦ୍ର ସିଂ ଟିକାୟତଙ୍କ ନେତୃତ୍ୱରେ ବୋଟ୍ କ୍ଲବ୍ ଅଞ୍ଚଳରେ ବଡ଼ କୃଷକ ଆନ୍ଦୋଳନ ହୋଇଥିଲା। ଏହା ପରେ ସେଠାରେ ପ୍ରତିବାଦ ଉପରେ କଟକଣା କଡ଼ାକଡ଼ି କରାଯାଇଥିଲା। ପରବର୍ତ୍ତୀ ସମୟରେ ଜନ୍ତରମନ୍ତର ରୋଡ୍ ଧାରଣା ଓ ପ୍ରତିବାଦର ଏକ ପ୍ରମୁଖ କେନ୍ଦ୍ର ପାଲଟିଥିଲା। ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନ ଜନ୍ତରମନ୍ତରକୁ ଦେଶବ୍ୟାପୀ ପରିଚିତି ଦେଇଥିଲା। ସେବେଠାରୁ ଏହି ସ୍ଥାନକୁ ଦେଶର ବିଭିନ୍ନ ଆନ୍ଦୋଳନ ଓ ଜନସ୍ୱାର୍ଥ ସମ୍ପର୍କିତ ପ୍ରତିବାଦର ପ୍ରତୀକ ଭାବେ ଦେଖାଯାଉଥିଲା।
Powered by Froala Editor