ଇକୋନୋମିକ୍ସରେ ରବର୍ଟ ଇ ହାଲ୍ ଏବଂ ମାଇକେଲ୍ ଉଡଫୋର୍ଡଙ୍କୁ ମିଳିବ ନୋବେଲ ସମ୍ମାନ
୨୦୨୬ ମସିହା ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଆମେରିକାର ଦୁଇ ଖ୍ୟାତନାମା ଅର୍ଥନୀତିଜ୍ଞ ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡ୍ଫୋର୍ଡଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବା ପାଇଁ ମନୋନୀତ କରାଯାଇଛି। ଆର୍ଥିକ ମଡେଲ ବିକଶିତ କରିବାରେ ଉଭୟଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମାକ୍ରୋଇକୋନୋମିକ୍ ସ୍ଥିରୀକରଣର ସୂକ୍ଷ୍ମ ଅର୍ଥନୀତି ଭିତ୍ତିଭୂମି ଉପରେ କାର୍ଯ୍ୟ ପାଇଁ ଦୁଇ ଅର୍ଥନୀତିଜ୍ଞଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଦୁଇ ଅର୍ଥନୀତିଜ୍ଞଙ୍କ ମଧ୍ୟରେ ୧.୨ ମିଲିୟନ୍ ଡଲାର ପୁରସ୍କାର ରାଶି ଭାଗ କରାଯିବ ।
ସରଳ ଭାଷାରେ କହିଲେ, ଲୋକେ କେତେ ଖର୍ଚ୍ଚ କରୁଛନ୍ତି? କେତେ ସଞ୍ଚୟ କରୁଛନ୍ତି? ବ୍ୟବସାୟୀମାନେ କିପରି ନିବେଶ କରୁଛନ୍ତି? ଏହି ନିଷ୍ପତ୍ତିଗୁଡ଼ିକ ଦେଶର ଅର୍ଥନୀତିକୁ କିପରି ପ୍ରଭାବିତ କରୁଛି? ତାହା ବୁଝିବା ପାଇଁ ଏହି ଗବେଷଣା ଗୁରୁତ୍ୱପୂର୍ଣ୍ଣ। ଏହି ଆଧାରରେ ସରକାର ଓ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଅର୍ଥନୈତିକ ମାନ୍ଦାବସ୍ଥା କିମ୍ବା ଅତ୍ୟଧିକ ଅଭିବୃଦ୍ଧି ସମୟରେ ଅଧିକ ପ୍ରଭାବଶାଳୀ ନୀତି ପ୍ରସ୍ତୁତ କରିବାରେ ସହାୟତା ମିଳିଥାଏ।
ରବର୍ଟ ଇ ହଲ୍ କାଲିଫର୍ଣ୍ଣିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଥିବାବେଳେ ମାଇକେଲ୍ ଉଡଫୋର୍ଡ ନ୍ୟୁୟର୍କର କଲମ୍ବିଆ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି । ଦୁଇ ଅର୍ଥନୀତିଜ୍ଞଙ୍କୁ ଆର୍ଥିକ ସ୍ଥିରତା ବଜାୟ ରଖିବା ଏବଂ ଏଥିପାଇଁ ଏକ ଖାସ୍ ଆଧାର ପ୍ରସ୍ତୁତ କରିବା ପାଇଁ ଚୟନ କରାଯାଇଥିଲା । ସାରା ବିଶ୍ବର ନୀତି ନିର୍ମାତା ଓ କେନ୍ଦ୍ରୀୟ ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସଂକଟ ଦୂର କରିବା ଏବଂ ସ୍ଥିରତା ଆଣିବାରେ ତାଙ୍କର ଏହି ମଡେଲ ବେଶ୍ ସହାୟକ ହେଉଛି । ଏଥିରେ ଶକ୍ତି ସଙ୍କଟ କିମ୍ବା ଘରୋଇ ଖର୍ଚ୍ଚରେ ହଠାତ୍ ପରିବର୍ତ୍ତନ ଭଳି ପରିସ୍ଥିତି ମଧ୍ୟ ସାମିଲ ରହିଛି । ତେଣୁ ସ୍ବିଡେନର ରୟାଲ ସ୍ବିଡିସ୍ ଏକଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ପୁରସ୍କାର ପାଇଁ ଦୁଇ ଜଣଙ୍କୁ ମନୋନିତ କରାଯାଇଛି ।
Powered by Froala Editor