ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ
ନ୍ୟାଶନାଲ ମେଡିକାଲ କମିଶନ(NMC) ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି । ନିୟମ ଅନୁଯାୟୀ, ଦେଶର ଡାକ୍ତର ଏବଂ ଡାକ୍ତରଖାନାଗୁଡ଼ିକ ରୋଗୀ କିମ୍ବା ବ୍ୟକ୍ତିଗତ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ। ଏହି ନୂତନ ନିୟମାବଳୀ ଇନଷ୍ଟାଗ୍ରାମ, ଇନଫ୍ଲୁଏନ୍ସର୍ ମାର୍କେଟିଂ, ସ୍ପନ୍ସର୍ଡ ପୋଷ୍ଟ ସମେତ AI (କୃତ୍ରିମ ବୁଦ୍ଧିମତ୍ତା) ଦ୍ୱାରା ପ୍ରସ୍ତୁତ ପ୍ରଚାର ସାମଗ୍ରୀକୁ ମଧ୍ୟ କଡ଼ା ପରିସରଭୁକ୍ତ କରିଛି।
ଏହି ନିୟମାବଳୀରେ ଓ୍ବେବ୍ସାଇଟ୍, ସୋସିଆଲ ମିଡିଆ, ମେସେଜିଂ ପ୍ଲାଟଫର୍ମ, ପୋଡ୍କାଷ୍ଟ, ଇନଫ୍ଲୁଏନ୍ସର୍ ଅଭିଯାନ, ସ୍ପନ୍ସର୍ଡ ପୋଷ୍ଟ ସହିତ AI ଜେନେରେଟେଡ କିମ୍ବା AI ସହାୟତାରେ ପ୍ରସ୍ତୁତ ଭିଡିଓ, ସ୍କ୍ରିପ୍ଟ ଓ ପ୍ରତିଛବିଗୁଡ଼ିକୁ ମଧ୍ୟ ଏହି କଟକଣା ମଧ୍ୟକୁ ଅଣାଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କ୍ରମବର୍ଦ୍ଧିତ AIର ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।
ଏନ୍ଏମ୍ସି ପକ୍ଷରୁ ଅକ୍ଟୋବର ୬ ତାରିଖରେ ଜାରି କରାଯାଇଥିବା ‘ଡାକ୍ତରଖାନା/ଚିକିତ୍ସା ପ୍ରତିଷ୍ଠାନ ଏବଂ ପଞ୍ଜୀକୃତ ଚିକିତ୍ସକଙ୍କ ଦ୍ୱାରା ନୈତିକ ବିଜ୍ଞାପନ ଓ ସର୍ବସାଧାରଣ ଯୋଗାଯୋଗ’ ସମ୍ବନ୍ଧୀୟ ଏହି ନିର୍ଦ୍ଦେଶାବଳୀ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି।
ଚିକିତ୍ସା ସେବାର ପ୍ରଚାର ପାଇଁ ରୋଗୀଙ୍କ ମତାମତ (ଟେଷ୍ଟିମୋନିଆଲ) ବ୍ୟବହାର କରିବା, ଅର୍ଥ ବିନିମୟରେ କିମ୍ବା ନକଲି ସମୀକ୍ଷା (ରିଭ୍ୟୁ) ପୋଷ୍ଟ କରାଇବା, ବିଭ୍ରାନ୍ତକର ଦାବି, ଚିକିତ୍ସାର ସଫଳତା ନେଇ ଶତ ପ୍ରତିଶତ ନିଶ୍ଚିତ ପ୍ରତିଶ୍ରୁତି ଦେବା, ପ୍ରଚାରମୂଳକ ରୋଗୀଙ୍କ କାହାଣୀ ଶେୟାର କରିବା, ଆଦିକୁ ବାରଣ ରହିଛି।
Powered by Froala Editor