ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ
ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ଖାଦ୍ୟର ସୁରକ୍ଷା ପାଇଁ ମିଳିଛି ସର୍ବୋଚ୍ଚ ରେଟିଂ ‘ଅତି ବିଶିଷ୍ଟ’ । ଖାଦ୍ୟ ସୁରକ୍ଷା କର୍ତ୍ତୃପକ୍ଷଙ୍କ BHOG କାର୍ଯ୍ୟକ୍ରମ ଅଧୀନରେ ଏହି ମାନ୍ୟତା ମିଳିଛି । ମୋଟ ୧୧୪ ମାର୍କରୁ ରାମ ମନ୍ଦିର ୧୦୩ ମାର୍କ ହାସଲ କରିଛି ।
ଅଯୋଧ୍ୟାର ହନୁମାନଗଢ଼ୀ, କନକ ଭବନ, ଏକ ଜୈନ ମନ୍ଦିର ଓ ଦେବକାଳୀ ମନ୍ଦିର ସମେତ ଅନ୍ୟ ପାଞ୍ଚଟି ଧାର୍ମିକ ସ୍ଥଳକୁ ମଧ୍ୟ ଏହି ପ୍ରମାଣପତ୍ର ମିଳିଛି । ଧାର୍ମିକ ସ୍ଥଳରେ ଭକ୍ତଙ୍କୁ ସୁରକ୍ଷିତ ଓ ଗୁଣାତ୍ମକ ପ୍ରସାଦ ଯୋଗାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଅଯୋଧ୍ୟା ରାମ ମନ୍ଦିରର ରୋଷେଇ ଘରର ସ୍ୱଚ୍ଛତା, ଖାଦ୍ୟ ସଂରକ୍ଷଣ ବ୍ୟବସ୍ଥା ଏବଂ ପ୍ରସାଦ ପରିବେଷଣ ସ୍ଥାନ ସମେତ ୪୭ଟି ମାନଦଣ୍ଡରେ ଯାଞ୍ଚ କରାଯାଇଥିଲା । ପ୍ରସାଦ ପ୍ରସ୍ତୁତ ଓ ବଣ୍ଟନ କରୁଥିବା କର୍ମଚାରୀଙ୍କୁ ଖାଦ୍ୟ ସୁରକ୍ଷା ସମ୍ପର୍କିତ ତାଲିମ ମଧ୍ୟ ଦିଆଯାଇଛି । ଏହି ମାନ୍ୟତା ପ୍ରମାଣପତ୍ର ଦୁଇ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ । ଏହି ସମୟରେ ମନ୍ଦିରରେ ଖାଦ୍ୟ ସୁରକ୍ଷା ନିୟମ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରାଯିବ। ଏଥିସହ ମନ୍ଦିର ଟ୍ରଷ୍ଟ ପ୍ରତି ୧୫ ଦିନରେ ଥରେ ନିଜସ୍ୱ ଯାଞ୍ଚ କରିବ ।
Powered by Froala Editor