ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା
ମଣିପୁରର କାମଜୋଙ୍ଗ ଓ ଉଖରୁଲ ଜିଲ୍ଲାରେ ହିଂସା ଘଟଣାରେ ଆଉ ୩ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିବା ବେଳେ ଚାସାଦ ଅଞ୍ଚଳରେ ଅତି କମରେ ୧୦ଟି ଘର ଓ ୨୦ଟି ଦୋକାନରେ ନିଆଁ ଲଗାଇ ଦିଆଯାଇଛି। ହିଂସା ବଢ଼ୁଥିବାରୁ କାଙ୍ଗପୋକପି ଜିଲ୍ଲାରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ସୂଚନା ଅନୁଯାୟୀ, କାମଜୋଙ୍ଗ ଜିଲ୍ଲାର ଚାସାଦ ଅଞ୍ଚଳରେ ଶନିବାର ସକାଳେ ସନ୍ଦିଗ୍ଧ ଉଗ୍ରବାଦୀଙ୍କ ଗୁଳିମାଡ଼ରେ ୨୩ ବର୍ଷୀୟ ମାଇକେଲ ନଗାମମିନଲେନ ହାଓକିପଙ୍କ ମୃତ୍ୟୁ ହୋଇଛି। ଏହା ପୂର୍ବରୁ ଶୁକ୍ରବାର ରାତି ଗୁଳିମାଡ଼ରେ ଆହତ ହୋଇଥିବା ଡୋମଖୋନେଇ ତୌଥାଙ୍ଗଙ୍କ ମୃତ୍ୟୁ ହୋଇଥିଲା। ସେ ୫ ଜଣ ପିଲାଙ୍କ ମା’ ଥିଲେ। ଉଖରୁଲ ଜିଲ୍ଲାର ଟିଏମ୍ କାସୋମ୍ ନିକଟ ଯାଓଲେନ ଅଞ୍ଚଳରେ ୪୦ ବର୍ଷୀୟ ସନ୍ଦୀପ ରାୟଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ ଚଳାଉଥିବା ଚାରିଚକିଆ ଗାଡ଼ି ଉପରେ ଆକ୍ରମଣ ହୋଇଥିବା କୁହାଯାଉଛି। ଗୁଳିମାଡ଼ରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।
ମଣିପୁର-ମିଆଁମାର ସୀମା ନିକଟ କାମଜୋଙ୍ଗ ଜିଲ୍ଲାର ନିଙ୍ଗଚୌ ଗାଁରେ ମଧ୍ୟ ଦୁଇ ଜଣ ନାଗା ଗ୍ରାମବାସୀଙ୍କ ହତ୍ୟା ହୋଇଛି। ମୃତକମାନେ ହେଲେ ୩୫ ବର୍ଷୀୟ ନଗାଚାନ୍ସୋ ନିଙ୍ଗଶେନ ଏବଂ ୪୮ ବର୍ଷୀୟ ଲିଶିଶାନ ଲିଶାଦାଙ୍ଗ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚନ୍ଦ ସିଂହ ହିଂସାକୁ ନିନ୍ଦା କରିବା ସହ ଶାନ୍ତି ଫେରାଇ ଆଣିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor