ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ବିମାନଟିକୁ ଜରୁରୀକାଳୀନ ଭାବେ ହାଇଦ୍ରାବାଦରେ ଅବତରଣ କରାଯାଇଛି। ବିମାନର କ୍ୟାବିନ୍ରେ ରଖାଯାଇଥିବା ଏକ ପାୱାର ବ୍ୟାଙ୍କ୍ରେ ନିଆଁ ଲାଗିଯିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପରିସ୍ଥିତିକୁ ଦେଖି ବିମାନଟିକୁ ଚେନ୍ନାଇ ପରିବର୍ତ୍ତେ ହାଇଦ୍ରାବାଦକୁ ଡାଇଭର୍ଟ କରାଯାଇଥିଲା।
ସୂଚନା ଅନୁଯାୟୀ, ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋର ୬E ୬୧୧୫ ବିମାନରେ ରବିବାର ଏହି ଘଟଣା ଘଟିଥିଲା। ବିମାନରେ ଥିବା ଓଭରହେଡ୍ କ୍ୟାବିନ୍ରୁ ଧୂଆଁ ବାହାରୁଥିବା ଦେଖି ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କ୍ୟାବିନ୍ର କଭର ଖୋଲାଯିବା ପରେ ଭିତରେ ନିଆଁ ଜଳୁଥିବା ଦେଖାଯାଇଥିଲା। ଏହାପରେ କ୍ୟାବିନ୍ କ୍ରୁ ସଦସ୍ୟମାନେ ତୁରନ୍ତ ପଦକ୍ଷେପ ନେଇ ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁ ଲିଭାଇଥିଲେ। ଏହାପରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ପାଇଲଟ୍ ବିମାନଟିକୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଆଡ଼କୁ ନେଇଥିଲେ। ସେଠାରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା।
ତେବେ ବିମାନ ଭିତରେ ହଠାତ୍ ନିଆଁ ଓ ଧୂଆଁ ଦେଖାଯିବାରୁ କିଛି ସମୟ ପାଇଁ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଜଣେ ଯାତ୍ରୀ ନିଜ ମୋବାଇଲ୍ ଫୋନ୍ରେ ଏହାକୁ ରେକର୍ଡ କରିଥିବା କୁହାଯାଉଛି । ଭିଡିଓରେ ଅନ୍ୟ ଯାତ୍ରୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଦେଖାଯାଉଛି ।
Powered by Froala Editor