ନାଗାବଳୀ ନଦୀରେ ଭାସିଯାଇ ବାପା-ପୁଅ ନିଖୋଜ
ରାୟଗଡା: ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀର ଝୁଲାପୋଲ ଏବଂ ହାତୀପଥର ନିକଟରେ ପାରଳାଖେମୁଣ୍ଡିର ୨ଜଣ ପର୍ୟ୍ୟଟକ ବାପ ପୁଅ ନଦୀରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଦୁଇ ଜଣ ହେଲେ ପାରଳାଖେମୁଣ୍ଡି ସହରର ୪୫ ବର୍ଷୀୟ କେ. ଶ୍ରୀନିବାସ ଓ ତାଙ୍କ ୧୯ ବର୍ଷୀୟ ପୁଅ କେ. ଜିତେନ୍ଦ୍ର ବୋଲି ସ୍ପଷ୍ଟ ହୋଇଛି । ସେମାନଙ୍କ ଘର ପାରଳାଖେମୁଣ୍ଡି ସହର କାମ୍ପ ସାହିରେ ।
ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ୟ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ। ମନ୍ଦିରରେ ଦର୍ଶନ ସାରି ସହର ପାର୍ଶ୍ବଦେଇ ବୋହିଯାଉଥିବା ନାଗାବଳୀ ଉପରେ ଝୁଲାପୋଲକୁ ଯାଇଥିଲେ। ପ୍ରାକୃତିକ ସୌନ୍ଦର୍ୟ୍ୟକୁ ଉପଭୋଗ କରିବା ପାଇଁ ଝୁଲାପୋଲ ଏବଂ ହାତୀପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ। ସେଠାରେ ବାପା ଶ୍ରୀନିବାସ ଗୋଡ ଧୋଇଥିଲେ। ସ୍ଥାନଟି ସମ୍ପୂର୍ଣ୍ଣ ରୂପେ ପଥୁରିଆ। ପାଣିର ସୁଅରେ ଶିଉଳି ପଡିଥିବା ଯୋଗୁଁ ବାପା ଶ୍ରୀନିବାସଙ୍କ ପାଦ ଖସିଯିବାରୁ ପାଣିର ସୁଅରେ ସେ ଭାସିଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବା ପାଇଁ ପୁଅ ଜିତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁ ପଡିଥିଲେ ।ଏଭଳି ସ୍ଥିତି ଦେଖି ଅନ୍ୟ ପର୍ୟ୍ୟଟକମାନେ କୂଳରେ ରହି ପାଟି କରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ସୁଦ୍ଧା ଉଭୟଙ୍କ ପତ୍ତା ମିଳିପାରିନାହିଁ ।
Powered by Froala Editor