ନାଗାବଳୀ ନଦୀରେ ନିଖୋଜ ବାପା, ପୁଅ
ରାୟଗଡା ସହର ଉପକଣ୍ଠରେ ଥିବା ନାଗାବଳୀ ନଦୀର ଝୁଲାପୋଲ ଏବଂ ହାତିପଥର ନିକଟରେ ପାରଳାଖେମୁଣ୍ଡିର ଦୁଇଜଣ ପର୍ଯ୍ୟଟକ ନିଖୋଜ ହୋଇଛନ୍ତି। ନିଖୋଜ ଦୁଇ ଜଣ ହେଲେ ପାରଳାଖେମୁଣ୍ଡି ସହରର କେ. ଜିତେନ୍ଦ୍ର (୧୯) ଓ କେ. ଶ୍ରୀନିବାସ (୪୫)। ସେମାନେ ବାପା ଓ ପୁଅ ବୋଲି ଜଣାପଡିଛି। ଉଭୟଙ୍କ ଘର ପାରଳାଖେମୁଣ୍ଡି ସହର କାମ୍ପ ସାହିରେ ହୋଇଥିବା ଜଣାପଡ଼ିଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।
ପାରଳାଖେମୁଣ୍ଡିରୁ ୧୬ ଜଣ ପର୍ଯ୍ୟଟକ ମଝିଘରିଆଣି ମନ୍ଦିର ଦର୍ଶନ ପାଇଁ ରାୟଗଡା ଆସିଥିଲେ। ମନ୍ଦିରରେ ଦର୍ଶନ ସାରି ସହର ପାର୍ଶ୍ବଦେଇ ବୋହିଯାଉଥିବା ନାଗାବଳୀ ଉପରେ ଝୁଲାପୋଲକୁ ଯାଇଥିଲେ। ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ଝୁଲାପୋଲ ଏବଂ ହାତିପଥର ମଧ୍ୟଭାଗରେ ନଦୀ କୂଳକୁ ଓହ୍ଲାଇ ଥିଲେ। ସେଠାରେ ଶ୍ରୀନିବାସ ଗୋଡ ଧୋଇଥିଲେ। ପାଣିର ସୁଅରେ ଶିଉଳି ପଡିଥିବା ଯୋଗୁଁ ଶ୍ରୀନିବାସଙ୍କ ପାଦ ଖସିଯାଇଥିଲା । ଫଳରେ ପାଣିର ସୁଅରେ ସେ ଭାସିଯାଇଥିଲେ। ବାପାଙ୍କୁ ଉଦ୍ଧାର କରିବାପାଇଁ ପୁଅ ଜିତେନ୍ଦ୍ର ମଧ୍ୟ ପାଣି ଭିତରକୁ ଡେଇଁପଡିଥିଲେ। ଏଭଳି ସ୍ଥିତି ଦେଖି ଅନ୍ୟ ପର୍ଯ୍ୟଟକ ମାନେ କୂଳରେ ରହି ପାଟି କରୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। କର୍ମଚାରୀ ପହଞ୍ଚି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ। ତେବେ ସନ୍ଧ୍ୟା ହୋଇଯିବାରୁ ପାଣି ଭିତରେ ଖୋଜିବା ସମ୍ଭବ ନହେବାରୁ ଉଦ୍ଧାର କାର୍ଯ୍ୟ ବନ୍ଦ କରିଦିଆଯାଇଛି।
Powered by Froala Editor