ରାଜଧାନୀରେ ବଢିଲା ସଂକ୍ରମଣ : ପାର୍ବଣରେ ସତର୍କ ରହିବାକୁ ଚେତାବନୀ ଦେଲା ସ୍ୱାସ୍ଥ୍ୟ ବିଭାଗ

ରାଜଧାନୀରେ ବଢୁଥିବା କରୋନା ସଂକ୍ରମଣକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । କଡ଼ା କଟକଣା ସତ୍ତ୍ୱେ ପାର୍ବଣରେ ଉପର ମୁହାଁ ହେଲାଣି ସଂକ୍ରମଣ। ରାଜ୍ୟରେ ଚିହ୍ନଟ ହେଉଥିବା ଦୈନିକ ସଂକ୍ରମଣର ୪୦ ପ୍ରତିଶତ କେବଳ ଭୁବନେଶ୍ୱରରୁ ଆସୁଛି । ବାରମ୍ବାର ଚେତାଇବା ସତ୍ତ୍ବେ ଲୋକମାନେ ହାଟ ବଜାରରେ ଭିଡ଼ କରୁଥିବାରୁ ଏପରି ହେଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୬ ଜଣଙ୍କର ମୃତ୍ୟୁ ହୋଇଛି । ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୯ ଜଣ ଅଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୨୦୮, କଟକରୁ ୪୮, ଜଗତସିଂହପୁରରୁ ୧୯ ପଜିଟିଭ୍ ବାହାରିଛନ୍ତି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୨ ହଜାର ୧୪୪କୁ ବୃଦ୍ଧି ପାଇଛି । କଟକ, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି ।
ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଭିଡ଼ କରିବା ନାହିଁ। ଆଗ ଜୀବନ, ପରେ ପାର୍ବଣ। ତେଣୁ ପାର୍ବଣରେ କଟକଣାକୁ ମାନି ଚଳିବା ଓ ଭିଡ଼ରୁ ଦୂରେଇ ରହିବା। ସେ କହିଛନ୍ତି ଯେ, ପାର୍ବଣ ସମୟରେ ଗହଳି ନ କରିବା ପାଇଁ ଆମେ ଲୋକ ମାନଙ୍କୁ ସଚେତନ କରାଇବା ସତ୍ତ୍ବେ ହାଟ ଓ ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏହା ଦ୍ୱାରା ପୁଣି ଥରେ ସଂକ୍ରମଣ ବଢିବାର ସମ୍ଭାବନା ଦେଖା ଯାଉଛି । ଗତକାଲି ଭୁବନେଶ୍ୱରରେ ସଂକ୍ରମଣ ଉପର ମୁହାଁ ହୋଇଥିବାର ନଜିର ସାମ୍ନାକୁ ଆସିଛି । ମାତ୍ର ଏପରି ସ୍ଥିତିରେ ଲୋକମାନେ ସଚେତନ ହେଉ ନଥିବାରୁ କମିଶନରେଟ ପୋଲିସକୁ କଟକଣା ବଢ଼ାଇବା ପାଇଁ କୁହାଯାଇଛି ।
Powered by Froala Editor