ଶିକ୍ଷା ସହାୟିକାରୁୁ ପ୍ରଶାସନିକ ସେବା: ରଶ୍ମିରେଖା ଓଏଏସ୍ ପରୀକ୍ଷାରେ ରାଜ୍ୟରେ ତୃତୀୟ

ଅକ୍ଳାନ୍ତ ପରିଶ୍ରମ କଲେ ସଫଳତା ନିଶ୍ଚିତ। ଏହା ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ତୋରାଣି ପୋଖରୀ ପଞ୍ଚାୟତ ଧୋବାପିଟଣା ଗ୍ରାମର ରଶ୍ମିରେଖା ପାତ୍ର। ରଶ୍ମିରେଖା ଓପିଏସ୍ସି ଦ୍ବାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ଅଧିକାର କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ନିଜ ସଫଳତାର ଶ୍ରେୟ ସେ ବାପା, ମା', ଶିକ୍ଷକଙ୍କୁ ଦେଇଛନ୍ତି। ଏହି ସଫଳତା ପରେ ସେ ଖୁସି ପ୍ରକାଶ କରିବା ସହ ଆଇଏଏସ୍ ହେବାକୁ ସେ ଲକ୍ଷ୍ୟ ରଖିଛନ୍ତି। ରଶ୍ମିରେଖାଙ୍କ ବାପା ଜନାର୍ଦ୍ଦନ ପାତ୍ର ଜଣେ ଶିକ୍ଷକ ହୋଇଥିବା ବେଳେ ମା' ଲେଡିଜ ହେଲ୍ଥ ଭିଜିଟର ଭାବେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ତାଙ୍କ ପରିବାର କେନ୍ଦୁଝର ସହରର ଭାଲୁକିପାତଳାରେ ରହୁଛନ୍ତି।
୧୯୯୩ ମିସହା ଜୁନ୍ ୮ ତାରିଖରେ ରଶ୍ମିରେଖା ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଗାଁ ସ୍କୁଲ ତୋରଣି ପୋଖରୀରେ ପାଠ ପଢ଼ିଥିଲେ। ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କେନ୍ଦୁଝର ଏନ୍ଏସ୍ ପୁଲିସ ହାଇସ୍କୁଲରେ ପଢ଼ିଥିଲେ। ମାଟ୍ରିକରେ ୭୩ ପ୍ରତିଶତ ନମ୍ବର ରଖି ପାସ କରିବା ପରେ ଯୁକ୍ତ ଦୁଇ ଏବଂ ଯୁକ୍ତତିନି ଡିଡି କଲେଜରେ ପଢ଼ିଥିଲେ। ପାଠପଢ଼ା ପରେ ଶିକ୍ଷା ସହାୟିକା ଭାବେ ସେ ନିଯୁକ୍ତି ପାଇଥିଲେ। ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଖିରେଇଟାଙ୍ଗିର ବିଦ୍ୟାଳୟରେ ଶିକ୍ଷାଦାନ କରିଥିଲେ। ୨୦୧୬ରେ ସେ ଶିକ୍ଷକତା ଛାଡ଼ି ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ଭୁବନେଶ୍ବର ଯାଇଥିଲେ। ସେଠାରେ ସେ କୋଚିଂ ନେବା ସହ ୨୦୧୯ ମସିହାରେ ଓପିଏସ୍ସି ପରୀକ୍ଷା ଦେଇଥିଲେ। ଏଥିରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।
Powered by Froala Editor