ପୋଖରୀରୁ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅର ମୃତଦେହ ଉଦ୍ଧାର
ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ବଡ଼ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର ହୋଇଛି। ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ା ଗାଁର ଏକ ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ମନୀଷଙ୍କ ମୃତଦେହ ମିଳିଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ କମିସନରେଟ୍ ପୁଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଛି।
ଗତ କାଲି ରାତିରୁ ଅନୁରାଗ ନିଖୋଜ ଥିଲେ। କିନ୍ତୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ପୁଅର ମୃତ୍ୟୁ ନେଇ ଖୋଦ୍ ନବୀନ ଦାସ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି। ନବୀନ ଦାସ କହିଛନ୍ତି, ପୁଅ ଗୁଡୁକୁ ସବୁଦିନ ପାଇଁ ହରାଇଲି। ପ୍ରଭୁ ମହାକାଳ ତାକୁ ଅପାର ଶାନ୍ତି ଦିଅନ୍ତୁ। ହତ ଭାଗା ବାପା। ତେବେ ଶ୍ରୀ ଦାସଙ୍କ ପୁଅର ମୃତ୍ୟୁ କେମିତି ଘଟିଲା, ତାକୁ ସନ୍ଦେହ ଉପୁଜିଛି।
ଘଟଣାକୁ ନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି, ଆଜି ସକାଳେ ଇନଫୋସିଟି ଥାନାରେ ମନୀଷଙ୍କ ନିଖୋଜ ହେବା ନେଇ ଅଭିଯୋଗ କରାଯାଇଥିଲା। ଗତକାଲି ସନ୍ଧ୍ୟାରେ ମୃତ ମନୀଷ ଶେଷଥର ଲାଗି ଇନଫୋସିଟି ଥାନା ଅଞ୍ଚଳରେ ଥିଲେ। ସେଠାରେ ଦୁଇ ଜଣ ଯୁବକଙ୍କ ସହିତ ସେ କାର୍ ଯୋଗେ ଆସିଥିବା ମନୀଷ ତାଙ୍କ ବାପାଙ୍କୁ ଫୋନ୍ କରି ଜଣାଇଥିଲେ। ହେଲେ ଆଜି ତାଙ୍କର ମୃତଦେହ ମିଳିଥିବା ନେଇ ଆମକୁ ଗାଁ ଲୋକେ ଖବର ଦେଇଛନ୍ତି। ଯାହା ପରେ ଆମେ ତଦନ୍ତ ଆରମ୍ଭ କରିଛୁ। ସୂଚନା ଯେ, 'ର୍ନିଭୟ' ଖବର କାଗଜର ପରିଚାଳନାରେ ସାହାଯ୍ୟ କରୁଥିଲେ। ଆସନ୍ତା ମାସରେ ତାଙ୍କର ବାହାଘର ସ୍ଥିର ହୋଇଥିଲା।
Powered by Froala Editor