ପୁଣି ଚର୍ଚ୍ଚାରେ ଶାଶ୍ୱତ: ଏଥର ଦିଆସିଲି କାଠିରେ ନିର୍ମାଣ କଲେ ଯୁଦ୍ଧ ବିମାନ
ପୁରୀ: ନିଆରା କଳାକୃତି ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ପୁରୀର ଯୁବ ଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ । ଆଜି ଭରତୀୟ ବାୟୁସେନା ୮୯ତମ ବାର୍ଷିକ ଉତ୍ସବ ପାଳନ କରୁଥିବା ବେଳେ ଶାଶ୍ୱତ ଦିଆସିଲି କାଠିରେ ନିର୍ମାଣ କରିଛନ୍ତି ଯୁଦ୍ଧ ବିମାନ । ଯାହା ଏବେ ସବୁଠି ଆଲୋଚନାର ବିଷୟ ପାଲଟିଛି । ତାଙ୍କର ଏହି ସୁନ୍ଦର କଳାକୃତିକୁ ବେଶ୍ ପ୍ରଶଂସା ମଧ୍ୟ ମିଳୁଛି ।
୧୩ ଶହ ୬୦ଟି ଦିଆସିଲି ଓ ଅଠା ସାହାଯ୍ୟରେ ସେ ଏହାକୁ ତିଆରି କରିଛନ୍ତି । ଭାରତର ପ୍ରଥମ ତଥା ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠା ହୋଇଥିବା ରୟାଲ ଇଣ୍ଡିଆନ ଏୟାର ଫୋର୍ସର ଏକ ନମ୍ବର ସ୍କ୍ୱାର୍ଡନରେ ଥିବା ପ୍ରଥମ ଯୁଦ୍ଧ ବିମାନ ଓ୍ୱେଷ୍ଟଲ୍ୟାଣ୍ଡ ଓ୍ୱାପିତିର ପ୍ରତିକୃତି ନିର୍ମାଣ କରିଛନ୍ତି ଶାଶ୍ୱତ । ଏହି ବିମାନର ଲମ୍ବ ୩୩ ଇଞ୍ଚ ଏବଂ ଓସାର ୪୦ ଇଞ୍ଚ । ଏହାକୁ ନିର୍ମାଣ କରିବାକୁ ଶାଶ୍ୱତଙ୍କୁ ପାଞ୍ଚ ଦିନ ଲାଗିଥିଲା ।
ଏନେଇ ଶାଶ୍ୱତ କହିଛନ୍ତି, ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସରେ କିଛି ନିଆରା କରିବାକୁ ଚିନ୍ତା କରିଥିଲି । ଏହାପରେ ଦିଆସିଲି କାଠିରେ ଯୁଦ୍ଧ ବିମାନ ତିଆରି କରିବାକୁ ମନସ୍ଥ କଲି । ୫ ଦିନରେ ଏହି ଯୁଦ୍ଧ ବିମାନ ତିଆରି କରିଛି । ଆଗାମୀ ଦିନରେ ଏଭଳି ଅନେକ କିଛି ଭିନ୍ନ କରିବାକୁ ନିଶ୍ଚିତ ଭାବେ ଉଦ୍ୟମ କରିବି ।
Powered by Froala Editor