ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ: ଟ୍ରମ୍ପ
ୱାଶିଂଟନ: ଆମେରିକା ଓ ଇରାନ ମଧ୍ୟରେ ପୁନର୍ବାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯଦି ଇରାନ ତାଙ୍କ ହତ୍ୟା ପାଇଁ କୌଣସି ଷଡଯନ୍ତ୍ର କରେ ତେବେ ଆମେରିକାର ୧୦୦୦ ମିସାଇଲ ତୁରନ୍ତ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି ଯେ, ଆମେରିକାର ମିସାଇଲଗୁଡ଼ିକ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଯଦି ଇରାନ ପକ୍ଷରୁ ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ ହୁଏ, ତେବେ ଆମେରିକୀୟ ସେନା ଇରାନର ବିଭିନ୍ନ ସ୍ଥାନ ଉପରେ ସାମରିକ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛି। ଇରାନକୁ ମାଟିରେ ମିଶାଇ ଦେବାକୁ ଆମେରିକା ପଛାଇବ ନାହିଁ। ସେହିପରି ଆମେରିକା ଉପରେ କୌଣସି ଭରସା ନାହିଁ ବୋଲି ଇରାନ ସ୍ପଷ୍ଟ କରିଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଘେର ଗାଲିବାଫ କହିଛନ୍ତି, ଯଦି ଆମେରିକା ଚୁକ୍ତି ଉଲ୍ଲଙ୍ଘନ କରେ କିମ୍ବା ବିଶ୍ୱାସଘାତକତା କରିବାକୁ ଚେଷ୍ଟା କରେ, ତେବେ ଇରାନ ନିଜର ସୁରକ୍ଷା ପାଇଁ କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛି। ଆମେ ଆମେରିକାକୁ ଦୃଢ଼ ଭାବରେ ସାମ୍ନା କରିବୁ ଏବଂ ଇରାନ ଲୋକଙ୍କ ଅଧିକାରକୁ ରକ୍ଷା କରିବୁ। ଇଣ୍ଡୋନେସିଆର ପିପୁଲ୍ସ କନସଲଟେଟିଭ୍ ଆସେମ୍ଲି ବାଚସ୍ପତି ଅହମଦ ମୁଜାନିଙ୍କ ସହ ସାକ୍ଷାତ ପରେ ଏକ ସରକାରୀ ଟେଲିଗ୍ରାମ ପୋଷ୍ଟରେ ଗାଲିବାଫ କହିଛନ୍ତି, ସମ୍ପ୍ରତି ଶାନ୍ତି ଆଲୋଚନା ସମୟରେ ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଆମେରିକା ଉପରେ ଇରାନର ଆଦୌ ବିଶ୍ୱାସ ନାହିଁ। ଇରାନ ନିଜକୁ ରକ୍ଷା କରିବା ପାଇଁ ସାମରିକ ପ୍ରସ୍ତୁତି କରିବା ବନ୍ଦ କରିବ ନାହିଁ।ସୂଚନାଥାଉ କି ଗତ କିଛିଦିନ ହେବ ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ପୁଣି ବଢିବାକୁ ଲାଗିଛି। ଜୁନ୍ ମାସରେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଲାଗୁ ହୋଇଥିଲା; କିନ୍ତୁ ଉଭୟ ଦେଶ ପକ୍ଷରୁ ବୟାନବାଜି ଓ ସାମରିକ କାର୍ଯ୍ୟକଳାପ ଯୋଗୁଁଁ ପରିସ୍ଥିତି ପୁନର୍ବାର ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିଛି। ଟ୍ରମ୍ପ ନାଟୋ ସମ୍ମିଳନୀରେ ମଧ୍ୟ କହିଥିଲେ ଯେ ସେ ଇରାନର ‘ହିଟ୍ ଲିଷ୍ଟ‘ର ଶୀର୍ଷରେ ଅଛନ୍ତି। ତାଙ୍କ ଦାବି ଅନୁସାରେ ଆମେରିକାର ଗୁପ୍ତଚର ସଂସ୍ଥାଗୁଡ଼ିକ ପାଖରେ ଇରାନ ପକ୍ଷରୁ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା ସୂଚନା ରହିଛି। ସେହି କାରଣରୁ ସେ ଆଗୁଆ ସତର୍କତା ଭାବେ ସେନାକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଥିବା କହିଛନ୍ତି।
Powered by Froala Editor