ମଦ ନପିଇବାକୁ ଘୋଷଣାନାମା ଦେବେ ସବୁ ଛାତ୍ର, କେଉଁ ବିଶ୍ୱବିଦ୍ୟାଳୟ ଜାଣନ୍ତୁ ?
ସମ୍ବଲପୁର/ବୁର୍ଲା: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ପୁଲସ୍ତ୍ୟ ଛାତ୍ରାବାସରେ ଗତ ୨୨ ତାରିଖ ମଧ୍ୟରାତ୍ରୀରେ ଜଣେ ତୃତୀୟ ବର୍ଷ ଛାତ୍ରଙ୍କୁ ହୋଇଥିବା ରାଗିଂ ଘଟଣାରେ କର୍ତ୍ତୃପକ୍ଷ କଡ଼ା କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଏହି ରାଗିଂ ଘଟଣାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ୨ ଜଣ ଛାତ୍ରଙ୍କୁ ୨ ବର୍ଷ ପାଇଁ କଲେଜରୁ ବହିଷ୍କୃତ କରାଯାଇଥିବା ବେଳେ ଅନ୍ୟ ୧୦ ଜଣ ଛାତ୍ରଙ୍କୁ ୧ ବର୍ଷ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯାଇଛି ।
ଗୁରୁତ୍ୱପୂର୍ଣ୍ଣ ହେଉଛି ଏହି ରାଗିଂ ଘଟଣା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀ ଯେଭଳି ଭାବେ କୌଣସି ଅନୈତିକ କାର୍ୟ୍ୟରେ ଲିପ୍ତ ରହିବେ ନାହିଁ ସେନେଇ କର୍ତ୍ତୃପକ୍ଷଙ୍କୁ ସେମାନେ ଓ ତାଙ୍କ ଅଭିଭାବକମାନେ ଲିଖିତ ପ୍ରତିଶ୍ରୁତି ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି । ବିଶେଷକରି କ୍ୟାମ୍ପସ୍ରେ କିମ୍ବା କ୍ୟାମ୍ପସ୍ ବାହାରେ ମାଦକ ଦ୍ରବ୍ୟ କିମ୍ବା ଡ୍ରଗ୍ସ ସେବନ କରୁଥିବା ଅବସ୍ଥାରେ ଧରାପଡ଼ିଲେ ସେମାନଙ୍କୁ ତୁରନ୍ତ ବହିଷ୍କାର କରି ଦିଆଯିବ ବୋଲି କର୍ତ୍ତୃପକ୍ଷଙ୍କ ପ୍ରୋସିଡିଂରେ ଉଲ୍ଲେଖ ରହିଛି । ରାଗିଂ ଘଟଣା ନେଇ କର୍ତ୍ତୃପକ୍ଷ ପୀଡ଼ିତ ଛାତ୍ର ଓ ଅନ୍ୟ ୧୨ ଜଣ ଛାତ୍ରଙ୍କୁ ପଚରାଉଚରା ସମୟରେ ଛାତ୍ରାବାସ ହଲ୍ରେ ମଦ ପିଇବା ଘଟଣା ସମ୍ପର୍କରେ ଜଣାପଡ଼ିଥିଲା । ଯାହାକୁ କେନ୍ଦ୍ର କରି ଏହି ବିବାଦ ଉପୁଜିଥିଲା । ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ରେ ନିଶା ସେବନ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ଉକ୍ତ ଅଭିଯୋଗରେ ମୋହର ମାରିଥିବା ମଧ୍ୟ କୁହାଯାଉଛି ।
Powered by Froala Editor