ବାତ୍ୟା ନେଇ ବଡ଼ ସୂଚନା ଦେଲେ ଏସଆରସି
ଭୁବନେଶ୍ୱର:ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ଏହି ପରିପ୍ରେକ୍ଷୀରେ ବାତ୍ୟା ମୁକାବିଲାର ସମୀକ୍ଷା କରି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ଆଜି ମଧ୍ୟରାତ୍ରିରେ ବାତ୍ୟା ଗୁଲାବ ଗୋପାଳପୁର-କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ । ନିର୍ଦ୍ଧିଷ୍ଟଭାବେ ଶ୍ରୀକାକୁଲମ ଜିଲ୍ଲାରେ ଗୁଲାବ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ । ଗଜପତି, କୋରାପୁଟ, ମାଲକାନଗିରି ଦେଇ ବାତ୍ୟା ଛତିଶଗଡ଼କୁ ଗତି କରିବ ବୋଲି ଏସଆରସି ଶ୍ରୀ ଜେନା କହିଛନ୍ତି ।
ସବୁଠୁ ବଡ଼ କଥା ହେଲା ଗୁଲାବକୁ ନେଇ ମୁଖ୍ୟତଃ ୩ଟି ସମସ୍ୟା ଦେଖାଦେଇପାରେ । ପବନଜନିତ, ଭୂସ୍ଖଳନ ଓ ବର୍ଷା ଜନିତ ସମସ୍ୟା ଉପୁଜିପାରେ । କୋରାପୁଟ, ଗଜପତି ଓ ମାଲକାନଗିରି ଲୋକେ ବାତ୍ୟା ସହ ଅଭ୍ୟସ୍ତ ନୁହନ୍ତି । ପୁରୁଣା ଗଛ ଓ କିଛି ସ୍ଥାନରେ ବିଦୁ୍ୟତ ଖୁଣ୍ଟ ଉପୁଡ଼ିପାରେ । ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଋଷିକୂଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିପାରେ ।
ବନ୍ୟା ଆଶଙ୍କାରେ ବଂଶଧାରା ନଦୀର ଗୋଟା ବ୍ୟାରେଜ ଖୋଲା ରହିଛି । ଗୁଲାବ କାରଣରୁ ଫ୍ଲାସ ଫ୍ଲଡ ଆସିବାର ବତି ସମ୍ଭାବନା ରହିଛି । ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି । ତଳିଆ ଅଞ୍ଚଳରୁ ଲୋକାମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଆଜି ସନ୍ଧ୍ୟାରୁ କାଲି ସକାଳ ପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ମାଟି ଘରେ ନରହି ରାତିକ ପାଇଁ ଯେ କୌଣସି କୋଠା ଘରେ ରହିବାକୁ ଶ୍ରୀ ଜେନା କହିଛନ୍ତି ।
ସେହିପରି ଗୁଲାବ ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ କରାଯାଇଛି । ୨୪ ଏନଡିଆରଏଫ, ୪୨ ଓଡ୍ରାଫ ଓ ୧୦୩ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି । ଆବଶ୍ୟକତାକୁ ଦେଖି ଜିଲ୍ଳାରେ ଟିମ ଉଦ୍ଧାର କାର୍ଯ୍ୟ କରିବେ ବୋଲି ଏସିଆରସି ଶ୍ରୀ ଜେନା କହିଛନ୍ତି ।
Powered by Froala Editor