ଗୋଟିଏ ଡାଳରେ ଫଳିଛି ୮୩୯ଟି ଟମାଟୋ, ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଲଣ୍ଡନ: ପ୍ରାୟତଃ ଗୋଟିଏ ଟମାଟୋ ଗଛରେ ୫୦ରୁ ୬୦ଟି ଟମାଟୋ ଫଳିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୋଟିଏ ଡାଳରେ ୮୯୩ଟି ଟମାଟୋ ଫଳାଇଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଇଂଲଣ୍ଡର ଷ୍ଟାନଷ୍ଟେଡ ଆବଟସର ଡଗଲାସ ସ୍ମିଥ ନାମକ ଜଣେ ଆଇଟି ପ୍ରଫେସନାଲ ତଥା ଉଦ୍ୟାନବିତ ଗୋଟିଏ କାଣ୍ଡରୁ ୮୩୯ଟି ଟମାଟୋ ଫଳାଇଛନ୍ତି । ପୂର୍ବରୁ ଗ୍ରାହାମ ଟାଣ୍ଟରଙ୍କ ନାମରେ ଏହି ରେକର୍ଡ ଥିଲା । ୨୦୧୦ରେ ସେ ଗୋଟିଏ କାଣ୍ଡରୁ ୪୪୮ଟି ଟମାଟୋ ଫଳାଇଥିଲେ । ବର୍ତ୍ତମାନ ଡଗଲାସ ତା’ଠାରୁ ପ୍ରାୟ ୨ ଗୁଣ ଟମାଟୋ ଫଳାଇ ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଛନ୍ତି । କେବଳ ଗିନିଜ କର୍ତ୍ତୃପକ୍ଷ ତାଙ୍କର ଦାବିକୁ ଯାଞ୍ଚ କରି ସତ୍ୟାପନ କରିବା ବାକି ଅଛି । ଡଗଲାସ ହେଉଛନ୍ତି ବୃତ୍ତିରେ ଜଣେ ଆଇଟି ପ୍ରଫେସନାଲ ଓ ପ୍ରବୃତ୍ତିରେ ଉଦ୍ୟାନବିତ । ସେ ମଞ୍ଜିରୁ ଟମାଟୋ ଗଛ ଉତାରି ସେଥିରୁ ଅସମ୍ଭବ ସଂଖ୍ୟକ ଟମାଟୋ ପଳାଇବାରେ ସକ୍ଷମ ହୋଇଛନ୍ତି । ଗତ ମାର୍ଚ୍ଚରେ ଟମାଟୋ ଗଛ ଲଗାଇଥିଲେ ଏବଂ ତାକୁ ଗ୍ରୀନ ହାଉସ ଭିତରେ ରଖିଛନ୍ତି । ଗତ ବର୍ଷ ମଧ୍ୟ ବିଶ୍ୱର ସବୁଠୁ ବଡ ଆକାରର ଟମାଟୋ ଫଳାଇ ସେ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲେ । ଏହି ଟମାଟୋର ଓଜନ ଥିଲା ୩.୧ କିଲୋଗ୍ରାମ ।
Powered by Froala Editor