ସାନି ତାରିଖ ଘୋଷଣା : ମେ’ ୧୩ରେ ପିପିଲି ଉପ ନିର୍ବାଚନ, ୧୬ରେ ଗଣତି
ପିପିଲି ଉପନିର୍ବାଚନ ପାଇଁ ସାନି ନିର୍ବାଚନ ତାରିଖ ଘୋଷଣା ହୋଇଛି। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ଥିବା ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଆସନ୍ତା ମେ’ ୧୩ତାରିଖରେ ହେବ। ଭୋଟଗଣତି ମେ’ ୧୬ତାରିଖରେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି। ଏପ୍ରିଲ ୧୯ରେ ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ୧୯ରୁ ୨୬ ତାରିଖ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ, ୨୭ରେ ପ୍ରାର୍ଥୀପତ୍ର ଯାଞ୍ଚ ଏବଂ ୨୯ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ପିପିଲି ଉପର୍ନିବାଚନ ପାଇଁ ଏପ୍ରିଲ ୧୭ ତାରିଖରେ ଭୋଟ ହେବାର ଥିଲା। ୧୪ ତାରିଖରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା। କେବଳ ନୂତନ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଦିନେ ଦୁଇଦିନ ମଧ୍ୟରେ ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେବା ନିମନ୍ତେ କଂଗ୍ରେସକୁ ରିଟର୍ଣ୍ଣିଂ ଅଫିସରଙ୍କ ପକ୍ଷରୁ ନୋଟିସ ଜାରି କରାଯିବ। କଂଗ୍ରେସ ୭ଦିନ ମଧ୍ୟରେ ନିଜର ପ୍ରାର୍ଥୀ ଘୋଷଣା ସହ ନାମାଙ୍କନ ପତ୍ର ଦାଖଲ କରିବ। ତା’ପରେ ତାଙ୍କୁ ପ୍ରଚାର ନିମନ୍ତେ ମଧ୍ୟ ଅନ୍ୟ ପ୍ରାର୍ଥୀଙ୍କ ଭଳି ଆବଶ୍ୟକ ସୁଯୋଗ ମିଳିବ ବୋଲି ଜଣାପଡ଼ିଛି।