ଘଟଗାଁରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ : ସଫଳତା ପାଇଁ ମା’ ତାରିଣୀଙ୍କ ପାଖରେ ଜଳୁଥିଲା ଅଖଣ୍ଡ ଦୀପ
ଟୋକିଓ ପାରାଲିମ୍ପକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ପ୍ରମୋଦ ଭଗତ ଘଟଗାଁ ଆସି ମା' ତାରିଣୀଙ୍କ ଦର୍ଶନ କରିଛନ୍ତି। ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ପ୍ରମୋଦଙ୍କ କୋଚ୍ ବିରଞ୍ଚି ଦାଶ ମା' ତାରିଣୀଙ୍କ ପାଖରେ ମାନସିକ ରଖିଥିଲେ। ସେହି ମାନସିକ ପୂରଣ ହୋଇଥିବାରୁ ପ୍ରମୋଦ ମା'ଙ୍କ ନିକଟରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳିତ କରିଥିଲେ। ପାରାଲିମ୍ପିକ୍ସ ସଫଳତା ପରେ ମା' ତାରିଣୀଙ୍କୁ ଦର୍ଶନ କରିବା ପାଇଁ ପ୍ରମୋଦ ନିଜେ ଆସିବେ ବୋଲି ମନସ୍ଥ କରିଥିଲେ। ଶୁକ୍ରବାର ଓଡ଼ିଶାରେ ପହଞ୍ଚିବା ପରେ ପ୍ରମୋଦ ମାଙ୍କ ପାଖରେ ପହଞ୍ଚି ଆଶୀର୍ବାଦ ନେଇଛନ୍ତି। ଘଟଗାଁରେ ତାଙ୍କୁ ଦେଖିବା ପାଇଁ ଶହଶହ ଲୋକ ରୁଣ୍ତ ହୋଇଥିଲେ।
ପ୍ରମୋଦ ଓ ତାଙ୍କ କୋଚ୍ ଶିବପ୍ରସାଦ ଦାସ ମା'ଙ୍କ ପୀଠରେ ପହଞ୍ଚିବା ପରେ ମନ୍ଦିର ପରିଚାଳନା ବୋର୍ଡ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ବରିଷ୍ଠ ପୂଜକ ଶ୍ୟାମସୁନ୍ଦର ଦେହୁରୀ, ପ୍ରଦୀପ ଦେହୁରୀ ଓ ସଦାନନ୍ଦ ଦେହୁରୀ ପ୍ରମୁଖ ତାଙ୍କୁ ମା'ଙ୍କ ଦର୍ଶନ କରାଇବା ସହ ଅଖଣ୍ତ ଦୀପକୁ ଉଠା ଯାଇଥିଲା। ପୂଜକ ନେପାଳୀ ଦେହୁରୀ ତାଙ୍କ ନାମର ପୂଜାର୍ଚ୍ଚନା କରିବା ସହ ଦୀପ ଜଳାଇଥିଲେ।
ଏହି ଅବସରରେ ପ୍ରମୋଦ କହିଥିଲେ ମା' ତାରିଣୀଙ୍କ ମହିମା ସବୁଦିନ ସ୍ମୃତି ହୋଇ ରହିବ। କଠିନ ପରିଶ୍ରମର ଫଳ ମିଳିଛି। ଯୁବପିଢ଼ି କ'ଣ ଫଳ ମିଳିବ ସେଥିପ୍ରତି ଧ୍ୟାନ ନଦେଇ କଠିନ ପରିଶ୍ରମ କରନ୍ତୁ ବୋଲି ପ୍ରମୋଦ କହିଥିଲେ। ମା'ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପରେ ମା' ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଏବଂ ମନ୍ଦିର କର୍ମଚାରୀ ସଂଘ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, ନିର୍ମଳ କୁମାର ମହାନ୍ତି, ଆନନ୍ଦ ଚନ୍ଦ୍ର ସିଂହ, ମନ୍ଦିର କର୍ମଚାରୀ ଅବନୀ ଜେନା, ହରେକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପରେ ତାଙ୍କୁ ଘଟଗାଁ ବ୍ଲକ୍ ପକ୍ଷରୁ ଏବିଡିଓ ଚିତ୍ତରଂଜନ ନାୟକ, ପିଇଓ ପ୍ରଶାନ୍ତ କୁମାର ରାଉତ, ଶେଷଦେବ ବେହେରା ଓ ସାରଙ୍ଗଧର ରଣା ପ୍ରମୁଖ ସମ୍ବର୍ଦ୍ଧିତ କରିଥିଲେ।
ଟୋକିଓ ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ପ୍ରମୋଦ ଭଗତ ଇତିହାସ ରଚିଥିଲେ। ବିଶ୍ୱର ୧ ନମ୍ବର ଖେଳାଳି ପ୍ରମୋଦ ଫାଇନାଲରେ ବ୍ରିଟେନ୍ର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ ଗେମ୍ରେ ହରାଇଥିଲେ। ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିବା ପରେ ପ୍ରମୋଦ ଶୁକ୍ରବାର ଓଡ଼ିଶା ଫେରିଥିଲେ। ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
Powered by Froala Editor