୧୫ ଶହ ଟଙ୍କା ପାଇଁ ଶାଶୂକୁ ପିଠିରେ ବୋହି ନେଉଛି ବୋହୂ
ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା ଘଟଣା ଭାଇରାଲ ହୋଇଛି। ବୃଦ୍ଧାଙ୍କ ଓଜନରେ ନଇଁ ପଡ଼ୁଥିବା ମହିଳା ଜଣକ ଜଙ୍ଗଲ ରାସ୍ତା ଓ ପଥୁରିଆ ଭୂଇଁ ଦେଇ ପ୍ରଚଣ୍ଡ ଖରାରେ ଚାଲି ଚାଲି ଯାଉଥିବାର ଦୃଶ୍ୟ ଅନେକଙ୍କୁ ବିଚଳିତ କରିଛି।
ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବା ଏହି ଭିଡିଓ ଅନୁଯାୟୀ ସୁଖମଣିଆ ବାଈ ନାମ୍ନୀ ଏହି ମହିଳା ଜଣକ ଶାଶୂଙ୍କ ପେନ୍ସନ ପାଇଁ ଏଭଳି କଷ୍ଟ ସ୍ବୀକାର କରିଛନ୍ତି। ତାଙ୍କ ଗ୍ରାମରୁ ବ୍ୟାଙ୍କ ପର୍ଯ୍ୟନ୍ତ ଯିବାକୁ ରିକ୍ସା କିମ୍ବା ଅଟୋ ଭଳି କୌଣସି ଯାନବାହନର ବ୍ୟବସ୍ଥା ନାହିଁ। ବୟସାଧିକ୍ୟ କାରଣରୁ ବୃଦ୍ଧା ଜଣକ ଚାଲିବା ଅବସ୍ଥାରେ ନଥିଲେ। ତେଣୁ ବୟସ୍କା ଶାଶୂଙ୍କୁ କାନ୍ଧରେ ବୋହି ଜଙ୍ଗଲ ରାସ୍ତା ଦେଇ ବ୍ୟାଙ୍କ ପର୍ଯ୍ୟନ୍ତ ଯିବା ଏକମାତ୍ର ବିକଳ୍ପ ପାଲଟିଥିଲା।
ମୈନପାଟ ଅଞ୍ଚଳର ଏହି ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଗ୍ରାମୀଣ ଭାରତରେ କଲ୍ୟାଣକାରୀ ଯୋଜନାର ସୁଫଳ ପାଇବାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି।
ସେଥିପାଇଁ ସୁଖମନିଆ ଅନେକ ମାସ ହେଲା ଶାଶୁଙ୍କୁ ଏଭଳି ନେଇଆସୁଛନ୍ତି। ତେବେ ଏଥର ଜଣେ ବ୍ୟକ୍ତି ସେମାନଙ୍କର ଭିଡିଓ ପ୍ରସ୍ତୁତ କରିବା ସହ ମହିଳା କ’ଣ ପାଇଁ ବୃଦ୍ଧାଙ୍କୁ ଏତେଦୂର ପିଠିରେ ବୋହୁଛନ୍ତି ବୋଲି ସ୍ଥାନୀୟ ଭାଷାରେ ପ୍ରଶ୍ନ କରିଥିଲେ। ବ୍ୟାଙ୍କକୁ ବୃଦ୍ଧାଙ୍କୁ ନେଲେ ଯାଇ ୧,୫୦୦ ଟଙ୍କା ଭତ୍ତା ମିଳିବ ବୋଲି ମହିଳା ଜଣକ କହିଥିଲେ। ଯାତାୟାତ ସୁବିଧା ନ ଥିବାରୁ ଖାଲଖମାପୂର୍ଣ୍ଣ ଜଙ୍ଗଲ ରାସ୍ତା ଓ ଝରଣା ଅତିକ୍ରମ କରି ଯିବାକୁ ପଡ଼ିଥାଏ। ବ୍ୟାଙ୍କରେ ପହଞ୍ଚତ୍ବା ପରେ ପରିବାରକୁ ୧,୫୦୦ ଟଙ୍କା ଭତ୍ତା ମିଳିଥାଏ।
Powered by Froala Editor