ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ସେଫ ପାଲଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ
ମୋହଲି: ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ପାଇଁ ସେଫ ପାଲଟିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ । ବୁଧବାର ମୋହାଲିର ସିସୱାନସ୍ଥିତ ନିଜ ଫାର୍ମ ହାଉସରେ ଏହି କ୍ରୀଡ଼ା ତାରକାମାନଙ୍କୁ କ୍ୟାପଟେନ୍ ଅମରିନ୍ଦର ନିଜ ହାତରନ୍ଧା ସୁସ୍ୱାଦୁ ଖାଦ୍ୟ ପରଷିଥିଲେ । ସେଥିରେ ଥିଲା ଖାସି ମାଂସ ତରକାରୀ, ପଲଉ, ଚିକେନ୍, ଆଳୁ ଜିରା ତରକାରୀ । ପଞ୍ଜାବର ଟୋକିଓ ଅଲିମ୍ପିକ୍ସ ପଦକ ବିଜେତାଙ୍କ ସହ ଆଥଲେଟିକ୍ସରୁ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କୁ ନିଜ ହାତରନ୍ଧା ଖାଦ୍ୟ ଖୁଆଇବେ ବୋଲି ଗତ ମାସର ସମ୍ବର୍ଦ୍ଧନା ଉତ୍ସବରେ ପ୍ରତିଶ୍ରୁତି ଦେଇଥିଲେ କ୍ୟାପଟେନ୍ । ବୁଧବାର ଏହାକୁ ପୂରଣ କରିଛନ୍ତି ସେ । ଅନ୍ୟପକ୍ଷରେ ଦେଶର ସମସ୍ତ ଟୋକିଓ ପାରାଲିମ୍ପିକ୍ସ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିବାକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଷ୍ପତ୍ତି ନେଇଛନ୍ତି 1। ଏହି ଉତ୍ସବକୁ ‘ଦିବ୍ୟାଙ୍ଗ’ ନାମିତ କରାଯାଇଛି । ଉତ୍ସବକୁ ଉତ୍ତରପ୍ରଦେଶର ୭୫ଟି ଯାକ ଜିଲ୍ଲାର ଖେଳାଳିଙ୍କୁ ଆମନ୍ତ୍ରଣ କରିବାକୁ ଉତ୍ତରପ୍ରଦେଶ ସରକାର ଯୋଜନା କରିଛନ୍ତି ।
Powered by Froala Editor