ଅଜବ ନିୟମ : ଶିକ୍ଷକଙ୍କୁ ଜିନ୍ସ ଓ ଟି-ସାର୍ଟ ମନା, ଶିକ୍ଷୟିତ୍ରୀ ପିନ୍ଧିପାରିବେନି ‘ଟାଇଟ୍ସ୍’
ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରେ ଏହାର ପ୍ରଭାବ ପାକିସ୍ତାନ ଉପରେ ପଡ଼ିଲାଣି। ପାକିସ୍ତାନରେ ଶିକ୍ଷକମାନେ ‘ଜିନ୍ସ୍’ ଏବଂ ‘ଟି-ସାର୍ଟ’ ପିନ୍ଧି ପାରିବେ ନାହିଁ ବୋଲି ସେଠାକାର ‘ଫେଡେରାଲ୍ ଡାଇରେକ୍ଟୋରେଟ୍ ଅଫ୍ ଏଜୁକେସନ୍’ (ଏଫ୍ଡିଇ) ଏକ ବିଜ୍ଞପ୍ତି ଜାରି କରି କହିଛି। ସେହିପରି, ଶିକ୍ଷୟିତ୍ରୀମାନଙ୍କ ‘ଜିନ୍ସ୍’ ଓ ‘ଟାଇଟସ୍’ ପିନ୍ଧା ଉପରେ ମଧ୍ୟ ଉକ୍ତ ବିଜ୍ଞପ୍ତିରେ ନିଷେଧାଦେଶ ଜାରି କରାଯାଇଛି। ଏ ସମ୍ବନ୍ଧରେ ଶିକ୍ଷା ନିର୍ଦ୍ଦେଶକ ସ୍କୁଲ ଓ କଲେଜ୍ ଗୁଡ଼ିକ ପାଇଁ ଚିଠି ଜାରି କରିଛନ୍ତି।
ଏହି ଚିଠିରେ ପ୍ରିନ୍ସିପାଲମାନଙ୍କୁ ସୁନିଶ୍ଚିତ କରିବାକୁ କୁହାଯାଇଛି ଯେ ଶିକ୍ଷାନୁଷ୍ଠାନର ସମସ୍ତ ଷ୍ଟାଫଙ୍କୁ ସଠିକ୍ ଢଙ୍ଗରେ ପୋଷାକ ପିନ୍ଧିବାକୁ ପଡ଼ିବ ଏବଂ ନିଜର ଶାରୀରିକ ଗଠନକୁ ଭଲଭାବେ ପରିବେଷଣ କରିବା ମଧ୍ୟ ଦରକାର। ଏହାବ୍ୟତୀତ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ଅବଲମ୍ବନ କରିବାକୁ କୁହାଯାଇଛି। ସମସ୍ତଙ୍କୁ ନିୟମିତ ଭାବେ ଚୁଟି କାଟିବା, ଦାଢ଼ିକୁ ଟ୍ରିମିଙ୍ଗ୍ କରିବା, ନଖ କାଟିବା, ଗାଧୋଇବା ଏବଂ ଡିଓଡ୍ରାଣ୍ଟ କିମ୍ବା ପରଫ୍ୟୁମ୍ ବ୍ୟବହାର କରିବାକୁ କୁହାଯାଇଛି। ପାକିସ୍ତାନର ଶିକ୍ଷକମାନଙ୍କୁ ଅଫିସ ସମୟରେ ଓ କ୍ୟାମ୍ପସରେ ପାଦ ଦେବା ସମୟରେ ଏସବୁ ନିୟମର ପାଳନ କରିବାକୁ ପଡ଼ିବ।
ଏହା ବ୍ୟତିରେକେ, ଶିକ୍ଷା ସହ ସମ୍ପୃକ୍ତ ସମସ୍ତ କର୍ମଚାରୀ ଶ୍ରେଣୀ ଗୃହରେ ‘ଟିଚିଙ୍ଗ୍ ଗାଉନ୍’ ଏବଂ ପରୀକ୍ଷାଗାରରେ ‘ଲ୍ୟାବ୍ କୋଟ୍’ ପରିଧାନ କରିବେ। ସେହିପରି, ‘ଗେଟ୍କିପର୍’ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀମାନଙ୍କ ପାଇଁ ‘ୟୁନିଫର୍ମ’ ନିର୍ଦ୍ଧାରଣ କରିବା ଲାଗି ମଧ୍ୟ ସ୍କୁଲ୍ ଓ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି।
ଆନୁଷ୍ଠାନିକ ସଭାସମିତିରେ ମହିଳାମାନେ ଫ୍ୟାନ୍ସି/ପାର୍ଟି ଡ୍ରେସ୍ ପିନ୍ଧି ପାରିବେ ନାହିଁ। ସେମାନେ ‘ଜିନ୍ସ୍’ କିଂବା ‘ଟାଇଟ୍ସ୍’ ପରିବର୍ତ୍ତେ ସାଦାସିଦା ଓ ମାର୍ଜିତ ଶାଲୱାର୍ କାମିଜ୍, ଟ୍ରାଉଜର୍, ଦୁପଟ୍ଟା/ଶାଲ୍ ତଳେ ସାର୍ଟ ପିନ୍ଧି ପାରିବେ। ଶୀତକାଳରେ ସେମାନେ କୋଟ୍, ବ୍ଲେଜର୍, ସ୍ବିଟର୍, ଜର୍ସି, କାର୍ଡିଗାଙ୍ଗ୍ ଏବଂ ସୁନ୍ଦର ରଙ୍ଗ ଓ ଡିଜାଇନ୍ର ଶାଲ୍ ପିନ୍ଧି ପାରିବେ। ସେହିପରି, ଶିକ୍ଷୟିତ୍ରୀମାନେ ‘ଫର୍ମାଲ୍ ସୁ’ (ପମ୍ପ୍ସ୍, ଲୋଫର୍ସ, ମୁଲ୍ସ୍) କିଂବା ସ୍ନିକର୍ ଏବଂ ସାଣ୍ଡଲ୍ ପିନ୍ଧିପାରିବେ, କିନ୍ତୁ ସ୍ଲିପର୍ ପିନ୍ଧି ପାରିବେ ନାହିଁ।
ପାକିସ୍ତାନର ନ୍ୟୁଜ ଚ୍ୟାନେଲ୍ ଗୁଡ଼ିକ ସରକାରଙ୍କ ଏହି ନିର୍ଦ୍ଦେଶାନାମା ବିରୋଧରେ ସ୍ୱର ଉଠାଇଛନ୍ତି। କିଛି ଲୋକଙ୍କ କହିବା ଅନୁଯାୟୀ, ଯେଉଁ ଦେଶର ପ୍ରଧାନମନ୍ତ୍ରୀ ନିର୍ଯାତନା ପାଇଁ ମହିଳାଙ୍କ ପୋଷାକ ପିନ୍ଧାକୁ ଦୋଷ ଦିଅନ୍ତି, ସେଠାରେ ଏଭଳି ନିର୍ଦ୍ଦେଶାନାମା ଜାରି ହେବା ସ୍ୱାଭାବିକ।
Powered by Froala Editor