ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପ୍ରସ୍ତାବ : ଖୋଲା ବଜାରକୁ ଛଡ଼ାଯାଉ କରୋନା ଟିକା

କୋଭିଡ୍-୧୯ ଟିକା ଖୋଲା ବଜାରରେ ଉପଲବ୍ଧ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ ନିବିଷ୍ଟ କରିପାରିବେ ବୋଲି ସେ ଉଲ୍ଲେଖ କରିଛନ୍ତି ।
କରୋନା ଟିକା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏଯାବତ୍ ମୋଟ ୪୭ ଲକ୍ଷ କୋଭିଡ ଟିକାର ଡୋଜ୍ ଦିଆଯାଇଛି । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ଯୋଦ୍ଧା ଏବଂ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ରହିଛନ୍ତି । ଦୈନିକ ୩ ଲକ୍ଷ ଟିକାକରଣର ନେଇ ରାଜ୍ୟର କ୍ଷମତା ରହିଛି । ଦୈନିକ ୩ ଲକ୍ଷ କରୋନା ଟିକାର ଡୋଜ୍ ଦିଆଗଲେ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ଲୋକଙ୍କୁ ଟିକାକରଣ ନେଇ ୧୬୦ ଦିିନ ସମୟ ଲାଗିବ । କିନ୍ତୁ ଟିକା ପ୍ରଧାନରେ ଅସୁବିଧା ଯୋଗୁଁ ଆମକୁ ଏହି ଟାର୍ଗେଟ ହାସଲ କରିବାରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏଣୁ ୨୫ ଲକ୍ଷ ଭ୍ୟାକ୍ସିନ ଯୋଗାଇବାକୁ ଚିଠିରେ ଉଲ୍ଲେଖ କଲେ ମୁଖ୍ୟମନ୍ତ୍ରୀ । ଏହାଛଡା ଟିକାକୁ ୪ଟି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ବର୍ତ୍ତମାନର କରୋନା ସ୍ଥିତିକୁ ନଜରରେ ରଖି ଭ୍ୟାକ୍ସିନକୁ ଖୋଲା ବଜାରରେ ବିକ୍ରି ଅନୁମତି ଦେବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଯେଉଁମାନେ ଏହି ଟିକା କିଣିବାରେ ସକ୍ଷମ ହେବେ ସେମାନେ ନିଜେ ଟିକା ନେଇପାରିବେ ।
କୋଭିଡ୍ ସଂକ୍ରମଣ ହାର ସର୍ବାଧିକ ଥିବା ଅଳ୍ପ କେତୋଟି ମେଟ୍ରୋପଲିଟାନ୍ ସହରମାନଙ୍କରେ ବୟସ କଟକଣା ହଟାଯାଇ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମେଟ୍ରୋପଲିଟାନ୍ ସହର ଦେଶ ଅର୍ଥନୀତିର ପେଣ୍ଠ ହୋଇଥିବାରୁ କୌଣସି ପ୍ରକାର ଲକ୍ଡାଉନ୍ ଘୋଷଣା କରାଗଲେ ଶ୍ରମିକମାନେ ଗୃହାଭିମୁଖୀ ହେବେ ଓ ଦେଶର ବାକି ଅଞ୍ଚଳକୁ ଏହା ପ୍ରଭାବିତ କରିବ ବୋଲି ସେ କହିଛନ୍ତି ।