ବେଲ୍ଟ ଓ ଅଣ୍ଡରଗାରମେଣ୍ଟରୁ ସୁନା ବିସ୍କୁଟ ଜବତ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସରୁ ୭୭ଟି ସୁନା ବିସ୍କୁଟ ଜବତ କରିଛନ୍ତି ସୁରକ୍ଷା ଅଧିକାରୀ। ଏହାର ଓଜନ ପ୍ରାୟ ୯ କେଜି ହେବ। ସାଉଦିରୁ ଲକ୍ଷ୍ନୌ ଆସିଥିବା ଦୁଇ ଜଣ ଯାତ୍ରୀଙ୍କ ଠାରୁ ସୁରକ୍ଷା ଅଧିକାରୀମାନେ ଏହି ସୁନା ବିସ୍କୁଟ ଜବତ କରିଛନ୍ତି। ସୁନା ବିସ୍କୁଟକୁ ରିୟାଦ ଫେରନ୍ତା ନିଜର ବେଲ୍ଟ ଓ ଅଣ୍ଡରଗାରମେଣ୍ଟରେ ହୋଇଥିବା ସ୍ୱତନ୍ତ୍ର ପକେଟରେ ଲୁଚାଇ ରଖିଥିଲେ।
ସୂଚନା ଅନୁଯାୟୀ, ଲକ୍ଷ୍ନୌର ଡିରେକ୍ଟୋରେଟ୍ ରେଭିନ୍ୟୁ ଇଣ୍ଟିଲଜେନ୍ସ ପ୍ରଥମେ ସାଉଦିର ରାଜଧାନୀ ରିୟାଦରୁ ଆସୁଥିବା ଦୁଇ ଜଣ ଯାତ୍ରୀ ସୁନା ଚୋରାଚାଲାଣ କରିବେ ବୋଲି ଖବର ପାଇଥିଲା। ଗୁଇନ୍ଦା ବିଭାଗ କହିଥିଲା ଯେ ଦୁଇ ଯାତ୍ରୀ ନିଜ ସହ ଆଣିଥିବା ସୁନାକୁ ଲକ୍ଷ୍ନୌରେ ଥିବା ଚୌଧୁରୀ ଚରଣ ସିଂହ ଏୟାରପୋର୍ଟରେ କିଛି ଲୋକଙ୍କୁ ହସ୍ତାନ୍ତର କରିବେ। ଖବର ପାଇ ଲକ୍ଷ୍ନୌ ଡିଆରଆଇ ଅଧିକାରୀମାନେ ଏୟାରପୋର୍ଟରେ ବସି ରହିଥିଲେ। ସନ୍ଦିଗ୍ଧମାନେ ବିମାନରୁ ଓହ୍ଲାଇବା କ୍ଷଣି ସେମାନଙ୍କ ପିଛା କରାଯାଇଥିଲା। ତେବେ ସନ୍ଦିଗ୍ଧ ଦୁଇ ବ୍ୟକ୍ତି କାର୍ ଯୋଗେ ଏୟାରପୋର୍ଟରୁ ଚାଲି ଯାଇଥିଲେ। କିନ୍ତୁ ଅଧିକାରୀମାନେ ମଧ୍ୟ ସେମାନଙ୍କର ପିଛା କରିଥିଲେ। ଦୀର୍ଘ ସମୟ କାରରେ ପିଛା କରିବା ପରେ ସେମାନଙ୍କ ଗାଡ଼ିକୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ସୁରକ୍ଷା ଅଧିକାରୀମାନେ ଅଟକାଇବାରେ ସଫଳ ହୋଇଥିଲେ।
Powered by Froala Editor