ଚାମଚରେ ସୁଡ଼ଙ୍ଗ ଖୋଳି ଜେଲ୍ରୁ ଚମ୍ପଟ ମାରିଲେ ୬ କଏଦୀ
ଇସ୍ରାଏଲ୍: ଜେଲ୍ରୁ ଅପରାଧୀମାନେ ଫେରାର୍ ହେବାର ଅନେକ ନଜିର ରହିଛି । ବିଭିନ୍ନ କୌଶଳ ଅବଲମ୍ବନ କରି ସେମାନେ ଚମ୍ପଟ ମାରନ୍ତି । ବଲିଉଡ୍, ଓଲିଉଡ୍ ଠାରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ଏହା ଉପରେ ଅନେକ ଫିଲ୍ମ ମଧ୍ୟ କରାଯାଇଛି । କେତେବେଳେ ସେମାନେ ପାଚେରି ଡେଇଁ ପଳାଇ ଯାଆନ୍ତି ତ ଆଉ କେତେବେଳେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି । ଅନେକ ସମୟରେ ଜେଲ୍ର କିଛି କର୍ମଚାରୀଙ୍କୁ ହାତ କରି ଫେରାର୍ ହେବାର ଉଦାହରଣ ରହିଛି । ହେଲେ ବର୍ତ୍ତମାନ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଇସ୍ରାଏଲ୍ର ଗିଲବୋ ଜେଲ୍ର ହାଇ ସିକ୍ୟୁରିଟିରେ ଥିବା ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଚାମଚରେ ସୁଡ଼ଙ୍ଗ ଖୋଳି ଫେରାର୍ ହୋଇଯାଇଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୁଲିସ୍ ଏନେଇ ତଦନ୍ତ ଚଳାଇଛି । ଚମ୍ପଟ ମାରିଥିବା କଏଦୀମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ତନାଘନା ଚଳାଇଛି ।
ଫେରାର୍ ହୋଇଥିବା ଅପରାଧୀମାନେ ଗୋଟିଏ ସେଲ୍ରେ ରହୁଥିଲେ । ସେମାନେ ଦୁର୍ଦ୍ଦାନ୍ତ ହୋଇଥିବାରୁ ହାଇ ସିକ୍ୟୁରିଟି ଭିତରେ ରଖାଯାଇଥିଲା । ଜେଲ୍ ଭିତରକୁ କୌଣସି ବାହାର ଜିନିଷ ପ୍ରବେଶ କରିବାକୁ ଅନୁମତି ଦିଆଯାଉନଥିଲା । କେବଳ କଏଦୀମାନଙ୍କ ପାଇଁ ଖାଇବାକୁ ପ୍ଲେଟ୍ ଓ ଚାମଚ ପ୍ରଦାନ କରାଯଇଥିଲା । ହେଲେ ସେହି ଚାମଚ ବ୍ୟବହାର କରି ସେମାନେ ଏକ ସୁଡ଼ଙ୍ଗ ଖୋଲିଥିଲେ । ପରେ ସେହି ବାଟ ଦେଇ ସମସ୍ତେ ଫେରାର୍ ହୋଇଯାଇଛନ୍ତି ।
ଏନେଇ ସମ୍ପୃକ୍ତ ଜେଲ୍ର ଜଣେ ଅଧିକାରୀ କହିଛନ୍ତି, ଚମ୍ପଟ ମାରିଥିବା କଏଦୀମାନେ ଜେଲ୍ର ବାଥ୍ରୁମ୍ରେ ଏକ ସୁଡ଼ଙ୍ଗ କରିଥିଲେ । ଦୀର୍ଘ ଦିନ ଲାଗି ସେମାନେ ଏହି ସୁଡ଼ଙ୍ଗ କରିଥିଲେ । ଜେଲ୍ର ସେଲ୍ ନିୟମିତ ଯାଞ୍ଚ କରାଯାଉଥିଲା । ହେଲେ ବାଥ୍ରୁମ୍କୁ କେହି ଯାଞ୍ଚ କରୁନଥିଲେ । ଯାହାଦ୍ୱାରା ସେମାନେ ତାଙ୍କ ଯୋଜନାରେ ସଫଳ ହୋଇଛନ୍ତି । ପରବର୍ତ୍ତୀ ସମୟରେ ଏଥିପ୍ରତି ଦୃଷ୍ଟି ଦିଆଯିବ ।
Powered by Froala Editor