ମହାସମାବେଶ ଡାକରା: କର୍ନଲରେ ୭ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ବନ୍ଦ
ଚାଷୀମାନେ ହରିୟାଣାର କର୍ନଲଠାରେ ମହାସମାବେଶ କରି ମିନି ସଚିବାଳୟକୁ ଘେରାଉ କରିବା ଡାକରା ଦେଇଛନ୍ତି। ଚାଷୀମାନଙ୍କ ଉପରେ ଗତମାସ ୨୮ ତାରିଖରେ ଏଠାରେ ହୋଇଥିବା ଲାଠିମାଡ଼ ପ୍ରତିବାଦରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଏହି ଡାକରା ଦେଇଛନ୍ତି। ତେବେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସତର୍କତାମୂଳକ ପଦକ୍ଷେପ ପୂର୍ବକ ହରିୟାଣା ସରକାର କର୍ନଲରେ ଆସନ୍ତା ୭ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ବନ୍ଦ କରିଦେଇଛନ୍ତି। ଆଜି ରାତି ୧୨ଟା ୩୦ରୁ ୭ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଏହି ସେବାକୁ କାଟି ଦିଆଯାଇଛି।
ଯେଉଁ ଜିଲ୍ଲା ଗୁଡ଼ିକରେ ଏହି ସେବା ଗୁଡ଼ିକ ବନ୍ଦ ରଖାଯାଇଛି ସେଗୁଡ଼ିକ ହେଲା କରନାଲ ବ୍ୟତୀତ କୈଥଲ, ପାନୀପତ ଏବଂ ଜିନ୍ଦ ସାମିଲ । ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ୧୦ ପ୍ଲାଟୁନ ସହିତ ସୁରକ୍ଷା କର୍ମଚାରୀଙ୍କ ୪୦ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଧାରା ୧୪୪ ଲାଗୁ କରାଯାଇଛି ।
ହରିୟାଣା ଭାରତୀୟ କିଷାନ ସଂଘ ମୁଖ୍ୟ ଗୁରନାମ ସିଂହ ଚାରୁନି କହିଛନ୍ତି, କର୍ନଲ ପ୍ରଶାସନ ସହ ହୋଇଥିବା ବୈଠକରୁ କୌଣସି ଫଳାଫଳ ମିଳିନାହିଁ। କର୍ନଲର ଶସ୍ୟ ବଜାରରେ ମଙ୍ଗଳବାର ୧୦ଟା ସୁଦ୍ଧା ପହଞ୍ଚିବା ପାଇଁ ହରିୟାଣା, ପଞ୍ଜାବ ଏବଂ ଉତ୍ତର ପ୍ରଦେଶର ଚାଷୀମାନଙ୍କୁ ଚାରୁନି ଆହ୍ୱାନ ଦେଇଛନ୍ତି। ମହାପଞ୍ଚାୟତ ପରେ ସେମାନେ ଲଘୁ ସଚିବାଳୟ ଘେରାଉ କରିବେ ବୋଲି ସେ କହିଛନ୍ତି।
ଏପେଟେ ରାଜରାସ୍ତା ଏବଂ ମିନି ସଚିବାଳୟକୁ ଆସନ୍ତାକାଲି ଘେରାଉ କରିବା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି କର୍ନଲ ଜିଲ୍ଲାପାଳ କହିଛନ୍ତି। ଚାଷୀମାନଙ୍କ ସହିତ ଆମେ କଥା ହୋଇଛୁ। ସେମାନଙ୍କ ଦାବି ଯଥାର୍ଥ ନୁହେଁ। ଆଇନ ଉଲ୍ଲଂଘନକାରୀଙ୍କ ପାଇଁ କୌଣସି କ୍ଷତିପୂରଣ ଦିଆଯିବ ନାହିଁ ଏବଂ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ସେ କହିଛନ୍ତି।
Powered by Froala Editor