ଅନ୍ତଃସତ୍ତ୍ବା ମହିଳା ପୁଲିସ ଅଧିକାରୀଙ୍କୁ ନିର୍ମମ ହତ୍ୟା

ଆଫଗାନିସ୍ତାନରେ ଏବେ ତାଲିବାନର ବର୍ବତରା ସୀମା ଟପିଛି । ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ହତ୍ୟା କରିଛନ୍ତି ନିର୍ଦ୍ଦୟୀ ତାଲିବାନୀ । ଫିରୋଜକୋହ ଠାରେ ମହିଳା ଅଧିକାରୀଙ୍କୁ ତାଙ୍କ ସ୍ୱାମୀ ଓ ଶିଶୁଙ୍କ ସମ୍ମୁଖରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ‘ବିବିସି’ ରିପୋର୍ଟ ଅନୁସାରେ, ବନୁ ନେଗର ନାମ୍ନୀ ସେ ପୁଲିସ ଅଧିକାରିଣୀଙ୍କ ପରିବାରର ସଦସ୍ୟ କହିଛନ୍ତି ଯେ, ତାଲିବାନୀ ଆକ୍ରମଣ ଯୋଗୁଁ ତାଙ୍କ ମୁଖ ଅତ୍ୟନ୍ତ ବିକୃତ ହୋଇଯାଇଛି। ସ୍ଥାନୀୟ କାରାଗାରରେ କାର୍ଯ୍ୟ କରୁଥିବା ନେଗର ଆଠ ମାସ ହେବ ଅନ୍ତଃସତ୍ତ୍ବା ଥିଲେ ବୋଲି ଗୋଟିଏ ସୂତ୍ରରୁ ରିପୋର୍ଟ ମିଳିଛି।
ସେହିପରି, ‘ଦି ସନ୍’ କରିଥିବା ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଦ୍ବାର ଦ୍ବାର ବୁଲି ମୁଣ୍ଡକାଟ ଅଭିଯାନ ଚଳାଇଥିବା ବେଳେ ତାଲିବ୍ମାନେ ନେଗରଙ୍କୁ ତାଙ୍କୁ ପିଲା ଓ ସ୍ବାମୀଙ୍କ ସାମ୍ନାରେ ହତ୍ୟା କରିଛନ୍ତି।
ବିଲାଲ୍ ସର୍ୱାରି ନାମରେ ଜଣେ ବ୍ୟକ୍ତି ଟୁଇଟ୍ କରିଛନ୍ତି, ଗୋର୍ ପ୍ରଦେଶରେ ରାତି ୧୦ଟା ବେଳେ ପୁଲିସ ଅଧିକାରିଣୀ ନେଗରଙ୍କୁ ତାଙ୍କ ପିଲା ଓ ସ୍ବାମୀଙ୍କ ସମ୍ମୁଖରେ ଗୁଳି ମାରି ହତ୍ୟା କରାଯାଇଛି। ଅନ୍ତଃସତ୍ତ୍ବା ଥିବା ନେଗରଙ୍କୁ ତାଲିବାନ୍ ଗୁଳି ମାରି ହତ୍ୟା କରିଥିବା କଥା ତାଙ୍କ ପରିବାରର ସଦସ୍ୟମାନେ କହୁଛନ୍ତି।
ନିହତ ମହିଳା ପୁଲିସଙ୍କ ଶବ ରକ୍ତରଞ୍ଜିତ ଗାଲିଚାରେ ପଡ଼ିଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ‘ଗ୍ରାଫିକ୍ ଇମେଜ୍’ରେ ଦେଖାଯାଉଛି। ସେ ଗାଲିଚା ଉପରେ ରକ୍ତଦାଗ ଥିବା ଦୁଇଟି ‘ସ୍କୃ-ଡ୍ରାଇଭର୍’ ମଧ୍ୟ ପଡ଼ିଛି। ଘଟଣାର ତଦନ୍ତ କରାଯିବ ବୋଲି ତାଲିବାନ ପ୍ରତିଶ୍ରୁତି ଦେଇଥିବା କଥା ତାଙ୍କ ପରିବାରବର୍ଗ କହିଛନ୍ତି।
Powered by Froala Editor