ତାଲିବାନ ଦଖଲରେ ପଞ୍ଜଶୀର, ଉଡ଼ିଲା ତାଲିବାନୀ ପତାକା !
ଦୀର୍ଘ ଦିନର ସଂଘର୍ଷ ପରେ ତାଲିବାନ ଅଭେଦ୍ୟ ଗଡ଼ ଭାବେ ପରିଚିତ ପଞ୍ଜଶୀରକୁ ଦଖଲ କରିଥିବା ଦାବି କରିଛି । ଏନେଇ ସୂଚନା ଦେଇଛନ୍ତି ତାଲିବାନ ମୁଖପାତ୍ର । ଆତଙ୍କବାଦୀ ସଙ୍ଗଠନର କହିବାନୁସାରେ, ସେମାନେ ରେଜିଷ୍ଟାନ୍ସ ଫୋର୍ସର ମୁଖ୍ୟ କମାଣ୍ଡର ମହମ୍ମଦ ସାଲେହକୁ ମାରିଦେଇଛନ୍ତି । ତାଲିବାନ ପ୍ରବକ୍ତା ଜବିହୁଲ୍ଲାହ ମୁଜାହିଦ କହିଛନ୍ତି ଯେ, ଆଫଗାନିସ୍ତାନର ପଞ୍ଜଶୀର ପ୍ରାନ୍ତକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦଖଲ କରିନେଇଛନ୍ତି । ଏଥିସହ ତାଲିବାନ ପଞ୍ଜଶୀରରୁ କିଛି ଫଟୋ ମଧ୍ୟ ଜାରି କରିଛି। ଏଥିରେ ଦେଖିବାକୁ ମିଳିଛି ଯେ କିଛି ବନ୍ଧୁକଧାରୀ ତାଲିବାନୀ ସେନା ପଞ୍ଜଶୀରର ଗଭର୍ଣ୍ଣର ଅଫିସ ବାହାରେ ଠିଆ ହୋଇଛନ୍ତି। ଏଥିସହ ପଞ୍ଜଶୀରରେ ତାଲିବାନ ପତାକା ଉଡୁଥିବା ମଧ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପଞ୍ଜଶୀର ହିଁ ଶେଷ ଅଞ୍ଚଳ ଥିଲା ଯାହାକୁ ତାଲିବାନ କବଜା କରିପାରିନଥିଲା । ଗତ କିଛି ଦିନ ହେବ ପଞ୍ଜଶୀରକୁ ନେଇ ତାଲିବାନ ଓ ନର୍ଦ୍ଦନ ଆଲାଏନ୍ସ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିଲା । ପଞ୍ଜଶୀରକୁ ଚାରିପଟରୁ ଘେରି ଯୁଦ୍ଧ ଚଳାଇଥିଲା ତାଲିବାନ । କଡ଼ା ମୁକାବିଲା କରୁଥିଲେ ଅହମ୍ମଦ ମସୁଦଙ୍କ ନେତୃତ୍ୱାଧୀନ ନର୍ଦ୍ଦନ ଆଲାଏନ୍ସର ସୈନ୍ୟ । ପାଖାପାଖି ହଜାରେ ତାଲିବାନୀଙ୍କ ମୁଣ୍ଡ ନେଇଥିବା ଦାବି କରିଥିଲା ମସୁଦ ସେନା । ହଜାର ହଜାର ତାଲିବାନ କମାଣ୍ଡୋଙ୍କୁ ବନ୍ଦୀ କରିଥିବା କହିଥିଲା ନର୍ଦ୍ଦନ ଆଲାଏନ୍ସ । ତେବେ ଶେଷରେ ପଞ୍ଜଶୀର ଦଖଲ କରିଥିବା କହିଛି ତାଲିବାନ ।
ସେପଟେ କିନ୍ତୁ, ରେଜିଷ୍ଟାନ୍ସ୍ ଫୋର୍ସର ନେତା ଅହମଦ୍ ମାସୁଦଙ୍କ ଠାରୁ କୌଣସି ବିବୃତି ମିଳିପାରି ନହିଁ। ଅନ୍ୟପଟେ ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କର ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ, ତାଲିବାନର ଦାବି ମିଥ୍ୟା। ରେଜିଷ୍ଟାନ୍ସ ଫୋର୍ସ ପଞ୍ଜଶୀରକୁ ପାହାଡରୁ ରକ୍ଷା କରୁଛି। ପାକିସ୍ତାନୀ ବାୟୁସେନା ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ କରୁଛି ବୋଲି ଦାବି କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ପଞ୍ଜଶୀର ହିଁ ଶେଷ ଅଞ୍ଚଳ ଥିଲା ଯାହାକୁ ତାଲିବାନ କବଜା କରିପାରିନଥିଲା। ଏହାପୂର୍ବରୁ ଆତଙ୍କବାଦୀମାନେ ଅଗଷ୍ଟ ୧୫ ତାରିଖରେ କାବୁଲ କବଜା କରି ଆଫଗାନିସ୍ତାନକୁ ଦଖଲ କରିନେଇଥିଲେ।
Powered by Froala Editor