କରୋନା ଔଷଧ କଳାବଜାରୀ ରୋକିବାକୁ ୩ ଜଣିଆ କମିଟି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି । ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଟପିଛି । ଯାହାକୁ ନେଇ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସେପଟେ ଏହାର ଫାଇଦା ଉଠାଇବାକୁ କିଛି ଅସାଧୁ ବ୍ୟକ୍ତି ଉଦ୍ୟମ ଆରମ୍ଭ କରିଛନ୍ତି । କୋଭିଡ୍ ଔଷଧ ଏବଂ ସରଞ୍ଜାମ କଳାବଜାରୀ କରୁଥିବା ରାଜ୍ୟ ସରକାରଙ୍କ ନିକଟରେ ଖବର ପହଞ୍ଚିଛି । ଏହା ଜାଣିବା ପରେ କଠୋର ହୋଇଛନ୍ତି ସରକାର । ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ତିନି ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି । ଏହାର ମୁଖ୍ୟ ଭାବେ କାର୍ଯ୍ୟ କରିବେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜି । ସେହିପରି କମିଟିର ସଦସ୍ୟ ଆବାହକ ଭାବେ ଓଡ଼ିଶା ସରକାରଙ୍କ ଡ୍ରଗ୍ସ ନିୟନ୍ତ୍ରକ ରହିଥିବାବେଳେ ସଦସ୍ୟ ଭାବେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ପାହ୍ୟାରୁ ଉର୍ଦ୍ଧ୍ୱ ଜଣେ ଅଫିସର ରହିବେ । କମିଟି ଜିଲ୍ଲାସ୍ତରରେ ଜରୁରୀ ମେଡିକାଲ୍ ସାମଗ୍ରୀର ବିତରଣ ଓ ଉପଲବ୍ଧତା ଉପରେ ନଜର ରଖିବ । କଳାବଜାରୀ ଓ ମହୁଜୁଦ୍ ହେଲେ ରେଡ୍, ସର୍ଚ୍ଚ ଅପରେସନ୍ କରି ଜବତ କରିବାକୁ କ୍ଷମତା ଦିଆଯାଇଛି । ଏଥିରେ କମିଟିକୁ ଅନ୍ୟ ସଂସ୍ଥା ସହ ପୁଲିସ ସହଯୋଗ କରିବ ।