ତେଲେଙ୍ଗାନାରୁ ଧରାପଡିଲା ହାଇଦର

ଭୁବନେଶ୍ୱର : ଧରାପଡ଼ିଛି କୁଖ୍ୟାତ ଅପରାଧି ହାଇଦର । କଟକ ଏସସିବି ମେଡ଼ିକାଲରୁ ଖସି ପଳାଇଥିବା ହାଇଦରକୁ ଠାବ କରିବାରେ ସମର୍ଥ ହୋଇଛି କମିଶନରେଟ ପୁଲିସ । ବିଭିନ୍ନ ତଥ୍ୟ ଆଧାରରେ ହାଇଦରକୁ ଦିନରାତି ଏକ କରି କମିଶନରେଟ ପୁଲିସ ଖୋଜୁଥିବାବେଳେ ଆଜି ତେଲେଙ୍ଗାନାରୁ ଗିରଫ କରିବାରେ ସମର୍ଥ ହୋଇଛି ।
ଏନେଇ ସୂଚନା ଦେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତିଯେ, ହାଇଦରକୁ ତେଲେଙ୍ଗାନାରୁ ଗିରଫ କରାଯାଇଛି । ସଂଧ୍ୟାରେ କଟକ ପୁଲିସ ତାକୁ ତେଲେଙ୍ଗାନାରେ ଧରିବାରେ ସଫଳ ହୋଇଛି । ସଙ୍ଗାରେଡ଼ି ଜିଲ୍ଲାରେ ହାଇଦର ଥିବା ଖବର ମିଳିବା ପରେ ତେଲେଙ୍ଗାନା ପୁଲିସର ସହାୟତା ନିଆଯାଇଥିଲା । ହାଇଦର ବାଇକରେ ଯିବାବେଳେ ପୁଲିସ ତାକୁ କାବୁ କରିନେଇଥିଲା । ୨୪ ଘଂଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରାଯିବ ବୋଲି ପୁଲିସ କମିଶନର କହିଛନ୍ତି ।
ହାଇଦର ଅପ୍ରେଲ ୧୦ରେ ଫେରାର ହୋଇଯାଇଥିଲା । ତେବେ ଫେରାର ହେବାର ଅଢେ଼ଇ ଘଂଟା ପରେ ପୁଲିସକୁ ଖବର ମିଳିଥିଲା । ଫଳରେ ହାଇଦରର ଗତିବିଧି ଜାଣିବା ପାଇଁ ସମୟ ଲାଗିଥିଲା । କମିଶନରେଟ ପୁଲିସର ଏଭଳି ସଫଳତା ପାଇଁ ପୁଲିସ ଡିଜିପି ଅଭୟ କୁମାର ପ୍ରଶଂସା କରିଛନ୍ତି ।
ଅପରପକ୍ଷରେ ହାଇଦର ଫେରାର ପଛରେ ଷଡ଼ଯନ୍ତ୍ର ହୋଇଛି କି ନାହିଁ ତାହାର ତଦନ୍ତ କରାଯିବ ବୋଲି ସୌମେନ୍ଦ୍ର ପ୍ରିୟର୍ଶୀ କହିଛନ୍ତି । ସେହିପରି ହାଇଦର ବାଂଲାଦେଶ ପଳାଇବା ଖବର କପୋଳକଳ୍ପିତ ଥିଲା ବୋଲି ସେ କହିଛନ୍ତି ।