ଆରମ୍ଭ ହେଲା ବିଦୁ୍ୟତ ଟ୍ରେନ ଚଳାଚଳ, ନୟାଗଡ ରୁ ଭୁବନେଶ୍ୱର ।

ଆରମ୍ଭ ହେଲା ବିଦୁ୍ୟତ ଟ୍ରେନ ଚଳାଚଳ, ନୟାଗଡ ରୁ ଭୁବନେଶ୍ୱର ।
ନୟାଗଡ଼: ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ ନୟାଗଡ଼ରୁ ରାଜଧାନୀକୁ ପ୍ରଥମ କରି ବିଦୁ୍ୟତ ଚାଳିତ ଟ୍ରେନ ‘ସେବା ଏକ୍ସପ୍ରେସ’ ଗଡ଼ିଛି । ଗତକାଲି ଏହି ବିଦୁ୍ୟତ ଚାଳିତ ଟ୍ରେନ ୪ ଜଣ ଯାତ୍ରୀଙ୍କ ଧରି ଭୁବନେଶ୍ୱରରୁ ସନ୍ଧ୍ୟା ୬ଟା ୪୦ ରେ ଶୁଭ ଯାତ୍ରାରମ୍ଭ କରି ରାତି ୮ଟା ୪୦ରେ ନୟାଗଡ଼ ଷ୍ଟେସନରେ ପହଞ୍ଚିଥିଲା । ସମସ୍ତ ପ୍ରସ୍ତୁତି ପରେ ଟ୍ରେନ ୧୫ ଜଣ ଯାତ୍ରୀଙ୍କୁ ଧରି ସକାଳ ସାଢେ଼ ୬ଟାରେ ନୟାଗଡ଼ ଷ୍ଟେସନ ଛାଡ଼ିଥିଲା । ନୟାଗଡ଼ରୁ ଭୁବନେଶ୍ୱରକୁ ନିୟମିତ ବିଦୁ୍ୟତ ଚାଳିତ ଟ୍ରେନ ଚଳାଚଳ ଆରମ୍ଭ ହୋଇଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି । ୨୦୧୭ ଜୁନ ୧୯ରେ ନୟାଗଡ଼ରୁ ପ୍ରଥମ ଟ୍ରେନ ଗଡ଼ିଥିଲା । ହେଲେ ବିଦୁ୍ୟତ କରଣ କାର୍ଯ୍ୟ ହୋଇନଥିବାରୁ ଡିଜେଲ ଚାଲିତ ଟ୍ରେନ ଯାତାୟତ କରୁଥିଲା । ମହାମାରୀ କରୋନା ପାଇଁ ଟ୍ରେନ ଚଳାଚଳ ସ୍ଥଗିତ ରଖାଯାଇଥିବାରୁ ନୟାଗଡ଼କୁ ଟ୍ରେନ ଚଳାଚଳ ବନ୍ଦ ଥିଲା । ଏବେ ଖୋର୍ଦ୍ଧା ରୋଡ ଠାରୁ ନୟାଗଡ଼କୁ ବିଦୁ୍ୟତ କରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇ ଆଜିଠୁ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଛି ।