ସେବାୟତ ପଜିଟିଭ, ୧୭ ଯାଏଁ ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଭଦ୍ରକ : ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।
ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଭଦ୍ରକ ସ୍ଥିତ ଆରଡି ଆଖଣ୍ଡଳମଣି ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ। ଆସନ୍ତା ୧୭ ତାରିଖ ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଗୁରୁବାର ଜଣାପଡିଛି। ଆଜି ଦିନ ୧୨ଟାରୁ ଆସନ୍ତା ୧୭ ସନ୍ଧ୍ୟା ୬ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଛି। କେବଳ ରୀତିନୀତି ଅନୁସାରେ ସେବାୟତ ପୂଜାର୍ଚ୍ଚନା କରିବେ। ଜଣେ ସେବାୟତ ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ଦିରର ସବୁ ସେବାୟତଙ୍କ କୋଭିଡ ଟେଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭଦ୍ରକ ଉପଜିଲ୍ଲାପାଳ ପୀତାମ୍ବର ସାମଲଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି।