ତିନି ଦିନ ଯାଏ ବର୍ଷା

ଭୁବନେଶ୍ୱର : ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥିପାଇଁ ଅନେକ ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ମୟୂରଭଞ୍ଜ, ରାୟଗଡ଼ା, ଗଜପତି ଓ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଆସନ୍ତାକାଲି (ଅଗଷ୍ଟ ୧୫) ଓ ୧୬ ତାରିଖରେ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ଆନ୍ଧ୍ରପ୍ରଦେଶ ଉପକୂଳ ତଥା ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗରରେ ସମୁଦ୍ର ପତ୍ତନଠାରୁ ୩.୧ରୁ ୫.୮ କି.ମି ମଧ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଓଡ଼ିଶାରେ ଆଗାମୀ ୨୪ ଘଣ୍ଟାରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ବିଜୁଳି ମାରିବାର ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖରେ ପ୍ରବଳ ବର୍ଷା ହେବ।
ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ଅଧିକ ରହିବ ।
Powered by Froala Editor