ପୋଖରୀରେ ବୁଡି ପ୍ରାଣ ହରାଇଲେ ୨ ଶିଶୁକନ୍ୟା

ଜଗମୋହନପୁର/ ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନ ପୁର ମୁଣ୍ଡା ସାହିରେ ଅପରାହ୍ନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାହି ପୋଖରୀରେ ବୁଡ଼ି ୨ ଜଣ ଶିଶୁକନ୍ୟା ପ୍ରାଣ ହରାଇଛନ୍ତି । ଅପରାହ୍ନରେ ଘରେ କୌଣସି ପରିବାର ସଦସ୍ୟ ନଥିଲା ବେଳେ ସମସ୍ତଙ୍କ ଅଗୋଚରରେ ଘର ନିକଟସ୍ଥ ପୋଖରୀକୁ ୨ ଶିଶୁ ଚାଲି ଯାଇଥିଲେ । କାମରୁ ଫେରି ଖୋଜିଲା ବେଳେ ପିଲାମାନଙ୍କୁ କେଉଁଠି ପାଇନଥିଲେ । ଖୋଜାଖୋଜି କରିବା ପରେ ୨ ଶିଶୁ ପୋଖରୀରେ ଭାସୁଥିବା ଦେଖି ପରିବାର ଲୋକ ଉଭୟଙ୍କୁ ଉଦ୍ଧାର କରି ତେଲକୋଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଯୋଗୀମୁଣ୍ଡାଙ୍କ ୩ ବର୍ଷର ଝିଅ ସୁଇଟି ଓ ତାଙ୍କ ସାନ ଭାଇ ସୁଶୀଳ ମୁଣ୍ଡାଙ୍କ ୪ ବର୍ଷର ଝିଅ ପରୀ । ଏ ନେଇ ତେଲକୋଇ ଥାନାରେ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି ।
Powered by Froala Editor