ହାଇଦର ଖସିବା ପଛରେ ବଡ଼ ହାତ: ପ୍ରକାଶ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ନେଇ ବିଜେପି ପକ୍ଷରୁ ସରକାରଙ୍କୁ ସମାଲୋଚନା କରାଯାଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରକାଶ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ହାଇଦର ଖସିବା ପଛରେ ବଡ଼ ଲୋକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ, ହାଇଦର ଖସିବା ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଛି । ହାଇଦରକୁ ବାରମ୍ବାର କାହିଁକି ସମ୍ବଲପୁରରୁ କଟକ ଅଣାଯାଉଥିଲା । ଚିକିତ୍ସା ପାଇଁ ୩ଥର କଟକ ରେଫର ହୋଇଥିବା ଶୁଣାଯାଉଛି । ହାଇଦର ଚିକିତ୍ସା ପାଇଁ କଟକ ଯିବାକୁ କିଏ ସୁପାରିସ କରିଥିଲେ । କଟକରେ ପ୍ରକୃତରେ ଚିକିତ୍ସା ଚାଲିଥିଲା କି ନାହିଁ ସ୍ପଷ୍ଟୀକରଣ ମିଳିନି । ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପାଇଁ କାହିଁକି ଏତେ ସମ୍ବେଦନଶୀଳତା । ସାଧାରଣ ରୋଗୀକୁ କ୍ୟାବିନ ମିଳୁନି । କିଏ କ୍ୟାବିନ ପାଇଁ ସୁପାରିସ କରିଥିଲେ । କିଡନୀ ସମସ୍ୟା ଥିବାରୁ ହାଇଦର ଆସିଥିଲା । କିନ୍ତୁ ସେ ବିରିୟାନୀ କେମିତି ଖାଉଥିଲା । ଖସିଯିବାର ୩ ଘଣ୍ଟା ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସକୁ କୁହାଯାଇନଥିଲା । ଚେକଗେଟ ପାରି ହେଲା ପରେ ଯାଇ ଜଣାଯିବାକୁ ଯୋଜନା ଥିବ । ପୁଲିସ-ଜେଲ-ମେଡିକାଲ ୟର ସମନ୍ୱୟ ନଥିଲେ ଏସବୁ ହୋଇପାରିବନି । ଏହି ସମନ୍ୱୟ ପଛରେ କୌଣସି ବଡ଼ ଲୋକର ହାତ ଥିବ । ଷଡ଼ଯନ୍ତ୍ର ପଛରେ ସେହି ବଡ଼ ଲୋକ କିଏ ତାହାର ତଦନ୍ତ ହେବା ଦରକାର ବୋଲି ପ୍ରକାଶ ମିଶ୍ର କହିଛନ୍ତି ।
ସେହିପରି ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ । କିନ୍ତୁ ସେ ଏଯାଏଁ ସ୍ପଷ୍ଟୀକରଣ ଦେଇନାହାନ୍ତି । ୬ଜଣ କନଷ୍ଟେବଳଙ୍କୁ ସସପେଣ୍ଡ କରି ଚୁପ ରହିବା ଲଜ୍ଜାଜନକ । ମୁଖ୍ୟମନ୍ତ୍ରୀଙ୍କ ନାକତଳେ ଏଭଳି ଘଟିବା ଉଦବେଗ ବିଷୟ ବୋଲି ପ୍ରକାଶ ମିଶ୍ର କହିଛନ୍ତି ।