ରାଜଧାନୀର ଏହି ସ୍ଥାନରେ ଖୋଲିବ କୋଭିଡ ଡାକ୍ତରଖାନା

ଭୁବନେଶ୍ୱର: ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ଏବେ ଅଣାୟତ୍ତ ହେବାରେ ଲାଗିଛି । ଏପ୍ରିଲ ପହିଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି । ଭୁବନେଶ୍ୱର ଏକରକମ ରେଡ ଜୋନକୁ ଆସିଯାଇଛି । ତେବେ ଏହାକୁ ଲକ୍ଷ୍ୟ ରଖି ରାଜଧାନୀର ବିଭିନ୍ନ ସ୍ଥାନରେ ପୁଣି କୋଭିଡ ଡାକ୍ତରଖାନା ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ୱରରେ ଆଜି ଠାରୁ ଆଦିତ୍ୟ ଅଶ୍ୱିନୀ କୋଭିଡ ଡାକ୍ତରଖାନା ଖୋଲିବ । ଆଇସିୟୁ ସହ ମୋଟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ଡାକ୍ତରଖାନା କାର୍ଯ୍ୟକ୍ଷମ ହେବ । ସେହିପରି ସମ କୋଭିଡ ଡାକ୍ତରଖାନାର ବେଡ ସଂଖ୍ୟା ୨୫୦ରୁ ୫୦୦କୁ ବୃଦ୍ଧି କରାଯାଇଛି । ପଟିଆରେ ୬୦, ଡୁମୁଡୁମାରେ ୪୫ ଶଯ୍ୟାର କୋଭିଡ କେୟାର ଡାକ୍ତରଖାନା ଖୋଲିବ । ପୂର୍ବରୁ ଘାଟିକିଆ,ଗଜପତି ନଗର ଓ କିଟରେ ୩ଟି ସଂଗରୋଧ ଗୃହ କରାଯାଇଛି । ଓୟୋ ହୋଟେଲରେ ୪୦ ଶଯ୍ୟା ବିଶିଷ୍ଟ ସଂଗରୋଧ ଗୃହ ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷରେ ବାଣୀବିହାରର ଶତାଧିକ ଛାତ୍ର ଓ କର୍ମଚାରୀଙ୍କ ଟେଷ୍ଟିଂ କରାଯାଇଛି । ଓୟୁଏଟିରେ ୪ ଜଣ ଛାତ୍ର ପଜିଟିଭ ଚିହ୍ନଟ ପରେ ସବୁ ଅନ୍ତେବାସୀଙ୍କ ଟେଷ୍ଟ କରାଯିବ ବୋଲି ଜଣାଯାଇଛି ।