୨୬ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ
ଭୁବନେଶ୍ୱର: ବଙ୍ଗୋପସାଗରରେ ପ୍ରତିବର୍ଷ ୫ଟି ବାତ୍ୟା ସୃଷ୍ଟି ହୋଇଥାଏ ଏବଂ ଏହାର ପ୍ରଭାବ ଓଡ଼ିଶାରେ ପଡ଼େ। ଚଳିତବର୍ଷ ଅକ୍ଟୋବର-ନଭେମ୍ୱର ମଧ୍ୟରେ ଏପର୍ଯ୍ୟନ୍ତ ୩ଟି ବାତ୍ୟା ସୃଷ୍ଟି ହୋଇଛି। ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଏଲ୍-ନିନୋ ସ୍ଥିତିର ପ୍ରଭାବ ଏହି ବାତ୍ୟାଗୁଡ଼ିକ ଉପରେ ପଡ଼ୁଛି, ଯାହା ୧୯୮୭ର ସ୍ଥିତି ସହିତ ସାମଞ୍ଜସ୍ୟ ରଖୁଛି। ସେହିପରି ନଭେମ୍ୱର ୨୬ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ସେ ସୂଚନା ଦେଇଛନ୍ତି। ଗତ ଗୁରୁବାର ହୋଇଥିବା ୧୫ ଦିନିଆ ଆଗୁଆ ପାଣିପାଗ ଆକଳନରୁ ଏଭଳି ସମ୍ଭାବନା ଥିବା ବିଷୟରେ ସୂଚନା ମିଳିଛି। ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟର ସ୍ଥିତି, ତୀବ୍ରତା ଏବଂ ରୂପରେଖ ସମ୍ପର୍କରେ ଏଯାଏ କୌଣସି ନିର୍ଦ୍ଦିଷ୍ଟ ଆକଳନ ଜାରି ହୋଇନାହିଁ। ଏହା କେଉଁ ଅଞ୍ଚଳରେ ସୃଷ୍ଟି ହେବ, କେଉଁ ଦିଗକୁ ଗତି କରିବ ଏବଂ ଏହାର ପ୍ରଭାବ କେତେ ରହିବ, ସେନେଇ ଏବେଠାରୁ କିଛି ସ୍ପଷ୍ଟ ହୋଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଶନିବାର ସମ୍ୱଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍)ର ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଆସିଥିବା ଅବସରରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଏପ୍ରିଲ-ମେ-ଜୁନ୍ ଏବଂ ଅକ୍ଟୋବର-ନଭେମ୍ୱର-ଡିସେମ୍ୱର ହେଉଛି ୨ଟି ବାତ୍ୟା ଋତୁ। ତେବେ ନଭେମ୍ୱରରେ ସର୍ବାଧିକ ବାତ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ଅକ୍ଟୋବରରେ ହେଉଥିବା ବାତ୍ୟା ଓଡ଼ିଶାକୁ ଅଧିକ ପ୍ରଭାବିତ କରିଥାଏ ବୋଲି ଆଇଏମ୍ଡି ଡିଜି କହିଛନ୍ତି। ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ ଚଳିତ ବାତ୍ୟା ସମୟରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ବାତ୍ୟା ‘ଅକ୍ୱାନ’ ସମୟରେ ସମ୍ୱଲପୁର, ଗୋପାଳପୁର ଏବଂ ପାରାଦୀପରେ ଥିବା ଡପ୍ଲର ରାଡାରଗୁଡ଼ିକ ସୁଚାରୁ ରୂପେ କାର୍ଯ୍ୟ କରୁଥିଲା ଏବଂ ପ୍ରତି ୧୦ ମିନିଟରେ ବାତ୍ୟାର ଠିକ୍ ଚିତ୍ର ସଂଗ୍ରହ କରାଯାଉଥିଲା। ଫଳରେ ବାତ୍ୟା ପରିଚାଳନା ଠିକ୍ ଭାବରେ ହୋଇପାରିଛି। ଅକ୍ୱାନର ଲ୍ୟାଣ୍ଡଫଲ୍ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ଆଲୋକପାତ କରି ସେ କହିଛନ୍ତି, ଆଇଏମ୍ଡି ପ୍ରତିଦିନ ପ୍ରତି ୩ଘଣ୍ଟାରେ ପ୍ରାୟ ୧୨ଟି ମଡେଲ ବିଶ୍ଳେଷଣ କରି ନିଷ୍ପତ୍ତି ପ୍ରକାଶ କରିଥାଏ। ପୂର୍ୱରୁ ସାଇକ୍ଲୋନ୍ ୱାଚ୍, ଆଲର୍ଟ ଏବଂ ୱାର୍ନିଂ ମାଧ୍ୟମରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାକୁ ସତର୍କ କରାଯାଇଥିଲା। ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଦିଗ ଦେଖାଉଥିଲେ ମଧ୍ୟ ଡେସିଶନ ସପୋର୍ଟ ସିଷ୍ଟମ ବ୍ୟବହାର କରି ବାତ୍ୟାଟି ଗୋପାଳପୁର ନିକଟରେ ଉପକୂଳ ଅତିକ୍ରମ କରିବ ବୋଲି ଠିକ୍ ଆକଳନ କରାଯାଇଥିଲା ଏବଂ ଠିକ୍ ସତର୍କତା ଯୋଗୁ କୌଣସି ଜୀବନହାନି ଘଟିନାହିଁ ବୋଲି ଆଇଏମ୍ଡି ଡିଜି ଡ. ମହାପାତ୍ର କହିଛନ୍ତି।
ବାତ୍ୟା ‘ଅକ୍ୱାନ’ର ପ୍ରଭାବ କମିବା ପରେ ଶନିବାରଠାରୁ ରାଜ୍ୟରେ ପାଣିପାଗ ବଦଳିଛି। ଆଗକୁ ଧୀରେ ଧୀରେ ଆହୁରି ବର୍ଷା କମିବା ସହିତ ଶୀତର ପରିମାଣ ବୃଦ୍ଧି ପାଇବ। ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ସମ୍ଭାବନା ବିଶେଷ ନ ଥିବାବେଳେ ରବିବାରଠାରୁ ସମଗ୍ର ଓଡ଼ିଶାରେ ପାଗ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor