ନବୀନ, ପାଣ୍ଡିଆନ, ରବିକାନ୍ତଙ୍କ ବିଦେଶ ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ ଏବଂ ଆଇପିଏସ୍ ଅଫିସର ରବି କାନ୍ତଙ୍କ ୨୦୨୨-୨୩ ଏବଂ ୨୦୨୩-୨୪ରେ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏହାର ତଦନ୍ତ କରିବେ। ସୂଚନାଯୋଗ୍ୟ, କେତେକ ସାମାଜିକ କର୍ମୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ ଏବଂ ରବି କାନ୍ତ ୨୦୨୨-୨୩ ଏବଂ ୨୦୨୩-୨୪ରେ ଅନେକ ଥର ବିଦେଶ ଗସ୍ତ କରିଛନ୍ତି। ବିଭିନ୍ନ ସୂଚନା ଅଧିକାର(ଆର୍ଟିଆଇ) ଆଇନ ଆଧାରିତ ପ୍ରଶ୍ନରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମାନଙ୍କ ଜାପାନ ଓ ଇଟାଲୀ ଗସ୍ତର ଖର୍ଚ୍ଚ ବିବରଣୀ ସନ୍ଦେହଜନକ, ଅସ୍ୱଚ୍ଛ ଏବଂ ଅସମ୍ପୂର୍ଣ୍ଣ ବୋଲି ସାମାଜିକ କର୍ମୀମାନେ ଅଭିଯୋଗ କରିଛନ୍ତି। ଏହି ଗସ୍ତ ତଥ୍ୟକୁ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଗୋପନୀୟ ରଖାଯାଇଛି। ଏହିସବୁକୁ ଦୃଷ୍ଟିରେ ରଖି ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ପଦାକୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor