ଆଜି ବିଧାୟକଙ୍କୁ ତାଲିମ ଦେବେ ଉପରାଷ୍ଟ୍ରପତି
ଭୁବନେଶ୍ୱର: ବିଧାୟକଙ୍କୁ ତାଲିମ ଦେବେ ଉପରାଷ୍ଟ୍ରପତି । ଭୁବନେଶ୍ୱରର ଏକ ହୋଟେଲରେ ଓଡ଼ିଶା ବିଧାନସଭାର ବିଧାୟକମାନଙ୍କ ପାଇଁ ସୋମବାର ଦିନିକିଆ ଓରିଏଣ୍ଟେସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହେବ । ଏଥିରେ ୩ଟି ଅଧିବେଶନ ରହିବ । ଉପରାଷ୍ଟ୍ରପତି ସି.ପି.ରାଧାକ୍ରିଷ୍ଣନ ଏଥିରେ ଯୋଗ ଦେଇ ବିଧାୟକମାନଙ୍କୁ ସଂସଦୀୟ ପରମ୍ପରା ଓ ପ୍ରଭାବଶାଳୀ କାର୍ଯ୍ୟଧାରା ନେଇ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଓ ପ୍ରଶିକ୍ଷଣ ଦେବେ ।
ସୂଚନା ଅନୁସାରେ ଉପରାଷ୍ଟ୍ରପତି ପୂର୍ବାହ୍ନ ପ୍ରାୟ ୯ଟା ୪୫ ମିନିଟ ସମୟରେ ଏହି କାର୍ଯ୍ୟକ୍ରମରେ ପହଞ୍ଚିବେ । ଏଥିରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ରହିବେ । ବିଭିନ୍ନ ବିଭାଗର କାର୍ଯ୍ୟକାରିତା, ସରକାରୀ ଯୋଜନାର ରୂପାୟନ,କାର୍ଯ୍ୟଧାରା ନେଇ ବିଧାୟକମାନେ କିଭଳି ଗୃହରେ ପ୍ରଭାବଶାଳୀ ଭାବେ ନିଜର ମତ, ମନ୍ତବ୍ୟ ଓ ଉପସ୍ଥାପନା ରଖିପାରିବେ, ସେ ନେଇ ତାଲିମ ଦିଆଯିବ । ବିଶେଷ କରି ଆଗାମୀ ବଜେଟ ଅଧିବେଶନ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିଧାୟକମାନଙ୍କୁ ଅବଗତ କରାଯିବ ।
ବୈଠକରେ ବିଜେପି ଦଳର ସମସ୍ତ ବିଧାୟକ ଯୋଗଦେବେ ବୋଲି ଜଣାପଡ଼ିଛି । ମାତ୍ର ବିରୋଧୀ ଦଳର ଉପସ୍ଥିତି ନେଇ ଅନିଶ୍ଚିତତା ଦେଖା ଦେଇଛି । କଂଗ୍ରେସ ବିଧାୟକମାନେ ଏଥିରେ ଯୋଗଦେବାକୁ ରୋକଠୋକ ମନା କରିଦେଇଛନ୍ତି । ବିଜେଡି ବିଧାୟକ ଯୋଗଦେବା ନେଇ ଅନିଶ୍ଚିତତା ରହିଛି ।
କଂଗ୍ରେସ ରାଜ୍ୟ ସଭାପତି ଭକ୍ତଚରଣ ଦାସ ପୂର୍ବରୁ ସ୍ପଷ୍ଟ କରିଥିଲେ, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କଂଗ୍ରେସ ବିଧାୟକ ସାମିଲ ହେବେନି । ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ଆମେ କେହି ଆସିବୁ ନାହିଁ । ଯେଉଁମାନେ ବିରୋଧୀ ଦଳକୁ ସମ୍ମାନ ଦେଇ ଜାଣିନାହାନ୍ତି, ସେମାନେ କ’ଣ ସାମ୍ବାଧାନିକ ନୀତି, ନିୟମ ଶିଖାଇବେ? ଗଣତନ୍ତ୍ର ଓ ସମ୍ବିଧାନକୁ ଶାସକ ଦଳ ମାନୁନାହିଁ । ତା’ ଛଡ଼ା ଗଞ୍ଜାମରେ ବନ୍ୟା ସ୍ଥିତି ରାଜ୍ୟକୁ ଦୋହଲାଇ ଦେଇଛି । ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହେଲେ। ଏଭଳି ସ୍ଥିତି ପ୍ରଶିକ୍ଷଣ କ’ଣ ଦିଆଯିବ?
Powered by Froala Editor