ଇଅର ଫୋନ୍ରେ ଗୀତ ଶୁଣୁଥିଲେ ଯୁବକ, ହେଲା ବିସ୍ଫୋରଣ, ତା’ପରେ...
ଜୟପୁର: କାନରେ ଇଅର ଫୋନ୍ ଲଗାଇ ଗୀତ ଶୁଣୁଥିଲେ ଯୁବକ । ହଠାତ୍ ହେଲା ବିସ୍ଫୋରଣ । ଆଉ ଚାଲିଗଲା ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଜୟପୁରର ଜୟପୁର ଚଉମୁ ଅଞ୍ଚଳରେ । ମୃତକ ହେଲେ ରାକେଶ ନଗର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ଲକ୍ଡାଉନ୍ ଯୋଗୁଁ ଯୁବକ ଜଣଙ୍କ ସବୁବେଳେ ଘରେ କମ୍ପ୍ୟୁଟରରେ କାମ କରନ୍ତି । ଶୁକ୍ରବାର ଅପରାହ୍ନରେ ସେ କମ୍ପ୍ୟୁଟରରେ ଇଅର୍ ଫୋନ୍ ଲଗାଇ କାମ କରୁଥିଲେ । ଏହି ସମୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯୁବକ ଜଣଙ୍କ ଜୋର୍ରେ ଚିତ୍କାର କରିବା ସହିତ ସଂଜ୍ଞାହୀନ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସିଦ୍ଧି ବିନାୟକ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ହସ୍ପିଟାଲର ଡାକ୍ତର ଏଲଏନ ରୁନ୍ଦଲା କହିଛନ୍ତି, ଯୁବକ ଜଣଙ୍କ ବ୍ଲୁଟୁଥ ଇଅର ଫୋନରେ ଗୀତ ଶୁଣୁଥିଲେ । ଏହି ସମୟରେ ଇଅର ଫୋନଟି ବିସ୍ଫୋରଣ କରିଥିଲା । ପରେ ସେ ଗୁରୁତର ହୋଇ ପଡ଼ିଥିଲେ । ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ଏଭଳି ହେବାର କାରଣ ସମ୍ଭବତଃ ହୃଦ ଘାତ ହୋଇପାରେ।
ଯୁବକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ । ଏହା ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି । ସେପଟେ ପୁଲିସ୍ ମଧ୍ୟ ଏନେଇ କୌଣସି ମାମଲା ରୁଜୁ କରିନି ।
Powered by Froala Editor