ଆସୁଛି ଲଘୁଚାପ, ଶେଷ ଆଡ଼କୁ ବାତ୍ୟା ସମ୍ଭାବନା
ବଙ୍ଗୋପସାଗରରେ ସମ୍ଭାବ୍ୟ ଲଘୁଚାପକୁ ନେଇ ଏବଠୁ ଛନକା। ଯାହା ଆସନ୍ତା ୨୧ ବେଳକୁ ଆଣ୍ଡାମାନ ସାଗରରେ ପ୍ରଥମେ ଘୂର୍ଣ୍ଣିବଳୟର ରୂପ ନେବ। ଏକ ପୂର୍ବାଳୀୟ ତରଙ୍ଗ (easterly wave) ୨୧ରୁ ୨୩ ଅକ୍ଟୋବର ମଧ୍ୟରେ ମାଲାକ୍କା ପ୍ରଣାଳୀ ଅତିକ୍ରମ କରି ଆଣ୍ଡାମାନ ସାଗରରେ ପ୍ରବେଶ କରିପାରେ। ୨୩ରୁ ୨୫ ଅକ୍ଟୋବର ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନଚାପ କ୍ଷେତ୍ର ଗଠିତ ହେବାର ସମ୍ଭାବନା ଅଛି। ୨୫ରୁ ୨୭ ଅକ୍ଟୋବର ମଧ୍ୟରେ ଏହା ଅଧିକ ସଂଗଠିତ ହୋଇପାରେ ବୋଲି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି।
ବର୍ତ୍ତମାନର ଅକଟୋବର ପାଣିପାଗ ସ୍ଥିତି ଅନୁକୂଳ ଥିବାରୁ ଚଳିତ ମାସ ଶେଷ ଆଡ଼କୁ ବାତ୍ୟା ହୋଇପାରେ ବୋଲି କୁହାଯାଉଛି। ଆକଳନ ଅନୁଯାୟୀ, ୨୭ରୁ ୨୯ ଅକ୍ଟୋବର ମଧ୍ୟରେ ଏହା ଅବପାତ କିମ୍ବା ଗଭୀର ଅବପାତରେ ପରିଣତ ହୋଇପାରେ। ଏହା ଘୂର୍ଣ୍ଣିଝଡ଼ରେ ପରିଣତ ହେବ କି ନାହିଁ, ତାହା ଏବେ ନିଶ୍ଚିତ ନୁହେଁ। ତେବେ ECMWFର ଶକ୍ତିଶାଳୀ ପରିଦୃଶ୍ୟରେ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ଦେଖାଯାଉଛି।
୯୯ ମହାବାତ୍ୟାଠୁ ଆରମ୍ଭ କରି ୨୦୧୩ ଅକଟୋବରର ଫାଇଲିନ, ୨୦୧୪ ଅକଟୋବରରେ ହୁଡହୁଡ୍, ୨୦୧୮ ଅକ୍ଟୋବରରେ ତିତଲି। ସେହିପରି ୨୦୨୪ ଅକ୍ଟୋବରରେ ସମୁଦ୍ରରୁ ଦାନା ବାନ୍ଧି ‘ଦାନା’ ଓଡିଶା ଆସିଥିଲା। ପାଣିପାଗ ବିଶେଷଜ୍ଞଙ୍କ କହିବା କଥା, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ମାସ ହେଉଛି ଅକ୍ଟୋବର। ସେତେବେଳେ ସମୁଦ୍ର ଉପରିଭାଗର ତାପମାତ୍ରା ଅଧିକ ଥାଏ। ସମୁଦ୍ର ଭିତରେ ପବନର ବେଗ ସମାନ୍ତରାଳ ରହିଥିବା ବେଳେ କମ୍ ବେଶି ହୋଇଥାଏ। ଫଳରେ ଝଡ଼ ସୃଷ୍ଟି ହେବା ସହ ଅଶାନ୍ତ ହୋଇପଡ଼େ ସମୁଦ୍ର। ଯାହା କ୍ରମେ ଘନୀଭୂତ ହୋଇ ଧୀରେ ଧୀରେ ବାତ୍ୟାର ରୂପ ନିଏ।
Powered by Froala Editor