ବିବାହର ମିଛ ପ୍ରତିଶ୍ରୁତି ଦେଇ ୧୩ ଲକ୍ଷ ଟଙ୍କା ଉଠାଇ ନେଲା
ମାଟ୍ରିମୋନି ଆପରେ ମହିଳାଙ୍କୁ ବିବାହର ମିଛ ପ୍ରତିଶ୍ରୁତି ଦେଇ ଠକେଇ କରିବା ଅଭିଯୋଗରେ ଜଣେ ଆନ୍ତଃରାଜ୍ୟ ସାଇବର ଠକକୁ ଗିରଫ କରିଛି ପୁରୀ ସାଇବର ଥାନା ପୋଲିସ। ଜଣେ ମହିଳା ନର୍ସ ଠକାମୀର ଶିକାର ହୋଇ ସାଇବର ଥାନା ରେ ଅଭିଯୋଗ କରିଥିଲେ।
ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସାଇବର ଠକକୁ ପୁରୀ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଛତିଶଗଡ଼ର ଅତିରିକ୍ତ ସଚିବ ପରିଚୟ ଦେଇ ମାଟ୍ରିମୋନି ଆପ ମାଧ୍ୟମରେ ଅନେକ ମହିଳାଙ୍କୁ ଠକୁଥିଲା ସାଇବର ଠକ। ଅଭିଯୁକ୍ତ ଅନୁଗୋଳ ମାଟିଆ ସାହିର ବଳଭଦ୍ର ପ୍ରସାଦ ମିଶ୍ର। ଅଭିଯୁକ୍ତ ଠାରୁ ପୋଲିସ ୧୪ଟି ପାସ୍ ବୁକ୍, ୯ଟି ଚେକ୍ ବୁକ୍, ୧୭ଟି ଡେବିଟ୍ ଓ କ୍ରେଡିଟ କାର୍ଡ, ୬ଟି ମୋବାଇଲ ଫୋନ୍, ନଗଦ ୧୦ ହଜାର ଟଙ୍କା, ଗୋଟିଏ ଚାରିଚକିଆ ଯାନ ଜବତ କରାଯାଇଛି। ପୁରୀ ପୋଲିସ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ପ୍ରତୀକ ସିଂ ଏହି ସୂଚନା ଦେଇଛନ୍ତି।
ଏସପି ଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ବଳଭଦ୍ର ନିଜକୁ ଛତିଶଗଡ ସରକାରଙ୍କ ଅତିରିକ୍ତ ସଚିବ ପରିଚୟ ଦେଇ ମାଟ୍ରିମୋନି ଆପରେ ମହିଳା ମାନଙ୍କୁ ବିବାହର ମିଛ ପ୍ରଲୋଭନ ଦେଉଥିଲା। ସେହିପରି ଜଣେ ମହିଳା ନର୍ସ ଙ୍କୁ ମଧ୍ୟ ମିଥ୍ୟା ବିବାହ ପ୍ରଲୋଭନ ଦେଇ ତାଙ୍କ ଆକାଉଣ୍ଟ ରୁ ୧୩ ଲକ୍ଷ ଟଙ୍କା ଉଠାଇ ନେଇଥିଲା। ସେହି ଟଙ୍କା ରେ ଅଭିଯୁକ୍ତ ଫ୍ଲାଇଟରେ ବିଦେଶ ଭ୍ରମଣ କରିବା ସହ ବିଭିନ୍ନ ତାରକା ହୋଟେଲରେ ରାତ୍ରିଯାପନ କରୁଥିଲା। ଠକେଇ କରିଥିବା ଟଙ୍କାରେ ଏକ ଚାରିଚକିଆ ଯାନ କିଣି ଆରାମଦାୟକ ଜୀବନ କାଟୁଥିଲା। ଶେଷରେ ପୋଲିସ ହାତରେ ଧରାପଡି ଅଭିଯୁକ୍ତ ଜେଲ୍ ଯାଇଛି।
Powered by Froala Editor